କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ହତ୍ୟା । ଡିପ୍ରେସନର ଶିକାର ଥିଲା ହତ୍ୟାକାରୀ ୟାସିର । ହାତଲେଖା ଡାଏରୀରୁ ମିଳିଲା ପ୍ରମାଣ

114

କନକ ବ୍ୟୁରୋ: ପୁଣି କାଶ୍ମୀର ଘାଟିର ସୁରକ୍ଷା ପ୍ରସଙ୍ଗକୁ ନେଇ ଉଠିଲା ପ୍ରଶ୍ନ । ବଲିଉଡ୍ ଫିଲ୍ମର କାହାଣୀ ପରି କେମିତି ଜଣେ ଜେଲ୍ ଡିଜିଙ୍କୁ ହତ୍ୟା କରାଯାଇଥିଲା ତାହାର କାହାଣୀ ଏବେ ସାମ୍ନାକୁ ଆସିଛି । ଧରା ପଡିଛି କାଶ୍ମୀର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କ ହତ୍ୟାକାରୀ । ଡିଜି ହେମନ୍ତ ଲୋହିଆଙ୍କ ସହଯୋଗୀ ୟାସିର ଅହମ୍ମଦ ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ୬ମାସ ଧରି ଜେଲ୍ ଡିଜିଙ୍କ ସହଯୋଗୀ ଭାବେ କାମ କରୁଥିବା ୟାସିର ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲା । ଆଉ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ହୋଇଥିଲା ଫେରାର ।

ଜମ୍ମୁକଶ୍ମୀର ଭଳି ସମ୍ବେଦନଶୀଳ ଜାଗାରେ ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ହତ୍ୟାକାଣ୍ଡର କାହାଣୀ ବଲିଉଡ୍ ଫିଲ୍ମର କାହାଣୀଠାରୁ କିଛି କମ୍ ନୁହେଁ । ସହଯୋଗୀ ଶେଷରେ ପାଲଟିଗଲା ହତ୍ୟାକାରୀ । ଏହି ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ୟାସିର ଲୋହାର ଗତ ୬ ମାସ ହେବ ଡିଜିଙ୍କ ଘରେ କାମ କରୁଥିଲା । ହେମନ୍ତ ଲୋହିୟା ସୋମବାର ରାତିରେ ଖାଇସାରି ଶୋଇବା ପୂର୍ବରୁ ସହାୟକ ୟାସୀରଙ୍କୁୁ ଡାକିଥିଲେ । ତାଙ୍କ ଗୋଡରେ ଲାଗିଥିବା ଏକ କ୍ଷତ ଉପରେ ମଲମ ଲଗାଇବାକୁ ୟାସିରକୁ କହିଥିଲେ । ମଲମ ଲଗାଉଥିବା ସମୟରେ ୟାସିର ହଠାତ ଆକ୍ରମଣ କରିଥିଲା ଓ କାଚ ବୋତଲରେ ଡିଜିଙ୍କ ଗଳା କାଟି ହତ୍ୟା କରିଥିଲା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ମୃତ ଶରୀରକୁ ପୋଡିବାକୁ ମଧ୍ୟ ଚେଷ୍ଟା କରିଥିଲା, ହେଲେ ଘର ଭିତରୁ ଧୁଆଁ ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ଆସିଥିଲେ ଓ ଏହାକୁ ଦେଖି ୟାସିର ଫେରାର ହୋଇଥିଲା ।

  • ଡିପ୍ରେସନର ଶିକାର ଥିଲା ୟାସିର
  • ହାତଲେଖା ଡାଏରୀରୁ ମିଳିଲା ପ୍ରମାଣ

ହତ୍ୟାକାରୀ ୟାସିର ଲୋହାରକୁ ପୋଲିସ୍ ଗିରଫ କରିଥିବା ବେଳେ ତାର ହାତଲେଖା ଡାଏରୀରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ୟାସିର ଡିପ୍ରେସନର ଶୀକାର ଥିଲା ଓ ନିଜେ ମଧ୍ୟ ମରିଯିବାକୁ ଚାହୁଁଥିଲା । ଏକଥା ନିଜ ଡାଏରୀରେ ଲେଖିଛି । ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଟିଆରଏଫ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ଗୃହମନ୍ତ୍ରୀ ଅମିତ ଶହାଙ୍କ ଜମ୍ମୁ୍କାଶ୍ମୀର ଗସ୍ତ ବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ହତ୍ୟା ଘାଟିର ସୁରକ୍ଷା ପ୍ରସଙ୍ଗକୁ ପୁଣି ସାମ୍ନାକୁ ଆଣିଛି । ଏହାକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ