‘ଇଣ୍ଡିଆ’ ମେଣ୍ଟର ସ୍ଳୋଗାନ । ଯୋଡ଼ି ହେବ ଭାରତ, ଜିତିବ ‘ଇଣ୍ଡିଆ’

143

କନକ ବ୍ୟୁରୋ : ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ‘ଇଣ୍ଡିଆ’ ମେଂଟର ବଡ଼ ପ୍ରସ୍ତୁତି । ମୁମ୍ବାଇରେ ବସିଥିବା ଦୁଇ ଦିନିଆ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ମେଂଟ । ୧୪ ଜଣିଆ ସମନ୍ୱୟ କମିଟି ଗଠନ   । ସାମିଲ ହେଲେ ୧୪ଟି ଦଳର ପ୍ରତିନିଧି । ପରସ୍ପର ମଧ୍ୟରେ ତାଳମେଳ ରଖିବ ସମନ୍ୱୟ କମିଟି । ଗଠନ ହେଲା ୪ଟି ସବକମିଟି ।

ସବୁଠୁ ଗୁରୁତ୍ୱ କଥା ହେଉଛି, ମେଂଟର ଆବାହକ କିଏ ହେବ, ଏ ନେଇ ବୈଠକରେ ନିଷ୍ପତି ହୋଇପାରିନାହିଁ । ଏପଟେ ମୋଦୀଙ୍କ ବିରୋଧରେ କାହାକୁ ଚେହେରା କରାଯିବ, ସେ ନେଇ ମଧ୍ୟ ମତଭେଦ ରହିଛି । ତେବେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ବିରୋଧରେ ବର୍ଷିଛନ୍ତି ଇଣ୍ଡିଆ ମେଂଟର ନେତା । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି , ବିଜେପିକୁ ହରାଇବା ପାଇଁ ‘ଇଣ୍ଡିଆ’ ମେଣ୍ଟ ଏକାଠି କାମ କରିବ । କେନ୍ଦ୍ର ସରକାରଙ୍କ ଦୁର୍ନୀତି ଲୋକଲୋଚନକୁ ଅଣାଯିବ । ସେହିପରି ‘ଭାଜପା ହଟାଅ, ଦେଶ ବଂଚାଅ’ ନାରା ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ସେ କହିଛନ୍ତି , ଆସନ ବୁଝାମଣା ନେଇ କିଛି ସମସ୍ୟା ହେବ ନାହିଁ ।

ଦଳୀୟ ମତଭେଦକୁ ଭୁଲି ଏହି ବୈଠକରେ ସାମିଲ ହୋଇଛନ୍ତି ବିରୋଧୀ ମେଂଟର ତୁଙ୍ଗ ନେତା । କେନ୍ଦ୍ର ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ଭାରତକୁ ଭାଗ ଭାଗ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରାଯାଇଛି ।

ତେବେ ଇଣ୍ଡିଆ ମେଂଟକୁ କଟାକ୍ଷ କରିଛନ୍ତି ବିଜେପି ନେତା । କହିଛନ୍ତି, ପରସ୍ପର ବିରୋଧୀ ନେତା କ୍ଷମତା ପାଇଁ ଫାଇଭ୍ ଷ୍ଟାର ହୋଟେଲରେ ଏକାଠି ହୋଇଛନ୍ତି । ଏହାର କୌଣସି ପ୍ରଭାବ ପଡ଼ିବନାହିଁ ।