ରଙ୍ଗରେ ଲାଗିଲା ରକ୍ତର ଛିଟା। ହୋଲିରେ ଗଡ଼ିଲା ମୁଣ୍ଡ।

133

କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲିର ଉତ୍ସାହରେ ମସଗୁଲ ଥିଲା ସାରା ଗାଁ । ବନ୍ଧୁ ପ୍ରିୟଜନଙ୍କୁ ହୋଲି ଲଗାଇ ମଉଜ କରୁଥିଲେ ସ୍ଥାନୀୟ ବାସିନ୍ଦା । ଠିକ୍ ଏତିକି ବେଳେ ଶୁଭିଥିଲା ଚିକ୍ରାର । ସଂଘବଦ୍ଧ ଆକ୍ରମଣରେ ଗଡ଼ି ସାରିଥିଲା ଗୋଟିଏ ମୁଣ୍ଡ । ଆଉ ଦୁଇ ଧାରୁଆ ଅସ୍ତ୍ର ଆକ୍ରମଣରେ ରକ୍ତାକ୍ତ ହୋଇ ଛଟପଟ ହେଉଥିଲେ ।

ସମୟ ସକାଳ ପ୍ରାୟ ସାଢ଼େ ୯ଟା । ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ କେହି କିଛି ବୁଝିବା ଆଗରୁ ଅଚାନକ୍୍ ଗୋଟିଏ ପରିବାର ଉପରେ ହୋଇଥିଲା ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ କାରଣରୁ ମୁଣ୍ଡିଆସାହିର ଗୋଟିଏ ପରିବାରର ୩ ଜଣଙ୍କୁ ଅମାନୁଷିକ ଭାବେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ଚିନ୍ତାମଣି ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଘରର ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ସେହିପରି ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ପୁଲିସ ଅଟକ ରଖି ପଚାରଉଚୁରା କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁରେନ୍ଦ୍ରପାଟଣା ଗାଁର ମୁଣ୍ଡିଆସାହିରେ ହୋଇଥିବା ଏହି ହତ୍ୟାକାଣ୍ଡ, ତିଗିରିଆ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଦେଇଛି ।