ପୁରୀରେ ୩ ଦିନ ବିତିଲା ରହିବାକୁ ମିଳିଲାନି ଜାଗା, ବାରଦୁଆର ହେଉଛନ୍ତି ହବିଷ୍ୟାଳି

178

କନକ ବ୍ୟୁରୋ: ସୋମବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଲାଣି, କିନ୍ତୁ ସରୁନି ହବିଷ୍ୟାଳିଙ୍କ ସମସ୍ୟା । ଗୋଟିଏ ମାସ ପାଇଁ ରହିବା ସେମାନଙ୍କ ଲାଗି ଏବେ ବି କାଠିକରପାଠ ହୋଇଛି । ଆଣିଥିବା ଜିନିଷ ଧରି ଏପଟେ ସେପଟେ ଦହଗଞ୍ଜ ହେଉଛନ୍ତି ହବିଷ୍ୟାଳି । ବାରଦୁଆର ହେଉଛନ୍ତି । ଏ ଅଧିକାରୀ, ସେ ଅଧିକାରୀଙ୍କୁ ଗୁହାରୀ କରୁଛନ୍ତି, କିନ୍ତୁ କେହି କଥା ଶୁଣିବାକୁ ନାରାଜ । ଫଳରେ କିଏ ପାର୍କିଂ ସ୍ଥଳରେ ତ କିଏ ଶିବିର ଦୁଆର ମୁହଁରେ ରାତି କାଟୁଛନ୍ତି । ୩ ଦିନରେ ବାରମ୍ବାର ଏଭଳି ସମସ୍ୟାକୁ ସାମ୍ନା କରୁଥିବାରୁ ଭବିଷ୍ୟତରେ ପୁରୀ ଆସିବାବେଳେ ଚିନ୍ତା କରିବାକୁ ପଡିବ ବୋଲି କିଛି ହବିଷ୍ୟାଳି କୋହଭରା କଣ୍ଠରେ କହିଛନ୍ତି ।

ସବୁଠାରୁ ବଡ କଥା ହେଲା, କିଛି ହବିଷ୍ୟାଳିଙ୍କ ପଞ୍ଜିକରଣ ହୋଇଥିଲେ୪ ଦିନ ହୋଇଗଲା କିନ୍ତୁ ଘର ମିଳୁନି । କିଛି ହବିଷ୍ୟାଳି ବୃନ୍ଦାବତୀ ନିବାସ ଶିବିରରେ ରହିଥିଲେ ବି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ହବିଷ୍ୟାଳି । କିଛି ହବିଷ୍ୟାଳି ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ବି ଅଭିଯୋଗ ଆଣିଛନ୍ତି । ମଶାବଣରେ ପଡି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳି । ସେପଟେ ପ୍ରଶାସନର କହିବା କଥା ବ୍ରତଧାରୀମାନେ ଏକାଠି ରହିବାକୁ କହୁଛନ୍ତି । ହେଲେ ପୂର୍ବରୁ ଯେଭଳି ଆଲର୍ଟମେଂଟ ହୋଇଛି ସେହି ଅନୁସାରେ ବ୍ରତଧାରୀଙ୍କୁ ରଖାଯାଉଛି ।

ଆସନ୍ତା ମାସେ ଯାଏଁ ପୁରୀରେ ହବିଷ୍ୟାଳି କାର୍ତିକ ବ୍ରତ ପାଳିବେ । କିନ୍ତୁ ସରକାର ଆରମ୍ଭ କରିଥିବା କାର୍ତିକ ବ୍ରତ ଯୋଜନାରେ ଅନେକ ବ୍ୟତିକ୍ରମ ଦେଖାଦେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।