ରାଜ୍ୟର ଫୁଟବଲ ଫର ଅଲ ବନାମ କେନ୍ଦ୍ରର ଫୁଟବଲ ଫର ସ୍କୁଲ। ଆରମ୍ଭ ହେଲା ଶ୍ରେୟ ରାଜନୀତି।

79

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୁଟବଲ ଫର ଅଲ ବନାମ କେନ୍ଦ୍ର ସରକାରଙ୍କ ଫୁଟବଲ ଫର ସ୍କୁଲ । ଫୁଟବଲ ପ୍ରତି ଓଡ଼ିଶାର ତୃଣମୂଳସ୍ତରରେ ଆଗ୍ରହ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଫିଫା ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ରାଜ୍ୟର ୨ ହଜାର ସ୍କୁଲରେ ପିଲାମାନଙ୍କୁ ମୋଟ୍ ୪୩ ହଜାର ଫୁଟବଲ ବଣ୍ଟାଯିବ।
ସେପଟେ କିଛି ଦିନ ତଳେ ‘ଫୁଟବଲ ଫର ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡାକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ସ୍କୁଲର ବ୍ୟାପକ ନେଟୱର୍କ ସୃଷ୍ଟି କରିବା ଲକ୍ଷ୍ୟ ରଖି ଦେଶର ୭ ଶହରୁ ଅଧିକ ଜିଲ୍ଲାକୁ କାର୍ଯ୍ୟକ୍ରମରେ ଯୋଡା ଯିବାକୁ ନିଷ୍ପତି ନିଆଯାଇଛି ।

ରାଜଧାନୀରେ ଫିଫା ବିଶ୍ୱକପ୍ ଚାଲିଥିବା ବେଳେ ଫୁଟବଲକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ଫୁଟବଲ ପାଇଁ ଶ୍ରେୟ କାହାକୁ ମିଳିବ ସେ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟର କ୍ଷମତାଶୀଳ ଦଳ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ବିଜେଡି କହିଛି, କ୍ରୀଡା ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ । ବିଜେପି କହିଛି, କେନ୍ଦ୍ରର ଯୋଜନାକୁ କପି କରୁଛି ରାଜ୍ୟ । ସମାଲୋଚନା କରିଛି କଂଗ୍ରେସ ।

ବର୍ତମାନ ଓଡିଶା କ୍ରୀଡାର ହବ୍ ପାଲଟିଛି । ପୂର୍ବରୁ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହୋଇଥିଲା । ୨୦୨୩ରେ ଆଉ ଏକ ହକି ବିଶ୍ୱକପ୍ ମଧ୍ୟ ଆୟାଜିତ ହେବାର କାର୍ଯ୍ୟକ୍ରମ ରହିଛି । ଆଉ ବର୍ତମାନ ଯେତେବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଫୁଟବଲର ମହାକୁମ୍ଭ ଚାଲିଛି, ସେତେବେଳେ ଫୁଟବଲକୁ ନେଇ ଶ୍ରେୟ ରାଜନୀତି ଆରମ୍ଭ ଚର୍ଚ୍ଚାର ବିଷୟ ହୋଇଛି ।