ଖଲ୍ଲିକୋଟ ବନାଞ୍ଚଳରେ ମାତିଛନ୍ତି କାଠ ମାଫିଆ: ଭାଲେରୀ ପାହାଡ ପରେ ଏବେ ଛାଞ୍ଚୁଣୀଆ ଜଙ୍ଗଲ ଉପରେ ପଡିଛି ନଜର

89

କନକ ବ୍ୟୁରୋ: ଜଙ୍ଗଲରେ ଚାଲିଛି ମାଫିଆ ରାଜ । ଦିନକୁ ଦିନ ସକ୍ରିୟ ହେଉଛନ୍ତି କାଠ ମାଫିଆ ଆଉ ଜଙ୍ଗଲରୁ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ କାଠ । କିନ୍ତୁ ଗଛ କଟାରେ ରୋକ ଲାଗାଇ ପାରୁନି ଖଲ୍ଲିକୋଟ ବନ ବିଭାଗ । ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହାଡ ଏବେ ଶ୍ରୀହିନ ହେବାକୁ ବସିଛି । ତଥାପି ଚେଇଁ ଶୋଇଛି ବନ ବିଭାଗ । ଦୁଇ ମାସ ତଳେ ଆମେ ଦେଖାଇଥିଲୁ ନାରାୟଣୀର ଭାଲେରୀ ପାହାଡରୁ ଶାଗୁଆନ କାଠ ଚୋରିର ଦୃଶ୍ୟ । ଆଉ ଏବେ ସାମ୍ନାକୁ ଆସିଛି ସେଇ ଖଲ୍ଲିକୋଟ ଅଂଚଳ ଛାଂଚୁଣୀଆ ଜଙ୍ଗଲର ଦୃଶ୍ୟ । ଛାଂଚୁଣିଆ ଜଙ୍ଗଲ ଖଲ୍ଲିକୋଟ ବନାଂଚଳ ଅଧିନ ସୁମଣ୍ଡଳ ବନପାଳଙ୍କ କାର୍ଯ୍ୟାଳୟ ଅଧିନରେ ରହିଛି ।

ଦୁଇ ମାସ ଭିତରେ ଏହି ଜଙ୍ଗଲରୁ ପ୍ରାୟ ୧୦୦ରୁ ଅଧିକ ଶାଗୁଆନ ଗଛକୁ କାଟି ନେଇ ଯାଇଛନ୍ତି କାଠ ମାଫିଆ । ଜଙ୍ଗଲ ମଧ୍ୟରୁ ବାଛି ବାଛି ୩ ରୁ ୪ ଫୁଟ ଗୋଲେଇର ଗଛକୁ ମେସିନ ସାହାଯ୍ୟରେ କାଟି ନେଉଛନ୍ତି ମାଫିଆ । କୈରାସି ଠାରୁ ବାଣିଆବାଡି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟରେ ବାରମ୍ବାର ଗଛ କଟା ଯାଉଥିଲେ ମଧ୍ୟ ବନ ବିଭାଗ ଜାଣି ପାରୁନି । ଯାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଛାଂଚୁଣୀଆ ଜଙ୍ଗଲ କୈରାସି ବନ ସୁରକ୍ଷା ସମିତି ହାତରେ ରହିଥିବା ବେଳେ ବନ ବିଭାଗ ସହଯୋଗ କରୁନଥିବାରୁ ବନ ସୁରକ୍ଷା ସମିତି ଜଙ୍ଗଲ ଉପରେ ସଠିକ ଢଙ୍ଗରେ ନଜର ରଖି ପାରୁନଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବନ କର୍ମଚାରୀଙ୍କ ଜାଣତରେ ମୂଲ୍ୟବାନ ଶାଗୁଆନ କାଠ ଚୋରୀ ହେଉଛି । ତେବେ ଭାଲେରୀ ପାହଡ ଓ ଛାଂଚୁଣିଆ ଜଙ୍ଗଲରେ ଶାଗୁଆନ ଗଛ କଟା ଘଟଣା ସାମ୍ନାକୁ ଆସିବା ପରେ ଖଲ୍ଲିକୋଟ ବନାଂଚଳ ଅଧିନରେ ଥିବା ଅନ୍ୟ ଜଙ୍ଗଲର ସୁରକ୍ଷାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।