ମଣିଷ ପ୍ରେମରେ ବନ୍ଧା ଜଙ୍ଗଲୀ ଜନ୍ତୁ: କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ୬ଟି ହାତୀଙ୍କ ସାଥୀ ପାଲଟିଛନ୍ତି ଅନିଲ ଦାସ   

57

କନକ ବ୍ୟୁରୋ: ସ୍ନେହ ଶ୍ରଦ୍ଧାରେ ବନ୍ଧା ଏଇ ଦୁନିଆ । ମଣିଷ ପ୍ରେମ ବଳରେ ପଶୁକୁ ବି ନିଜର କରିପାରେ । ବିଶାଳକାୟ ଜନ୍ତୁ ହାତୀ ବି ମଣିଷର ସ୍ନେହରେ ବାନ୍ଧି ହୋଇଯାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ । ଢେଙ୍କାନାଳ ବନଖଣ୍ଡ କପିଳାସ ରେଂଜ କାର୍ଯ୍ୟାଳୟ ପରିସର ଭିତରେ ରହିଛି ହାତୀ ସଂରକ୍ଷଣ କେନ୍ଦ୍ର । ଏଠାରେ ଛୋଟ ବଡ କରି ୭ଟି ହାତୀ ରହିଛନ୍ତି । ବୟସ୍କ ବଡ ହାତୀଟିକୁ ଜଙ୍ଗଲ ଭିତରେ ଅଲଗା ରଖା ଯାଇଥିବା ବେଳେ ଆଉ ୬ଟି ହାତୀ ସଂରକ୍ଷଣ କେନ୍ଦ୍ରରେ ରହିଛନ୍ତି । କୁନି କୁନି ୩ଟି ହାତୀ ଛୁଆ ସହିତ ଆଉ ୩ଟି କିଶୋର ବୟସ୍କର ହାତୀ ରହିଛନ୍ତି ।

ସେମାନଙ୍କ ସମସ୍ତ ଦେଖାଶୁଣା କରୁଛନ୍ତି ଅନିଲ ଦାସ । ଏହି ଯୁବକ ଜଣଙ୍କ ଦୀର୍ଘ ୧୫ ବର୍ଷ ଧରି ହାତୀଙ୍କ ଦେଖାସୁଣା କରୁଛନ୍ତି । କାର୍ତିକ, ଚନ୍ଦନ, ଉମା ଏବେ ବଡ ହୋଇଯାଇଥିବାରୁ ସେମାନଙ୍କୁ ଅଲଗା ଅଲଗା ଖୁଆଡରେ ରଖାଯାଇଛି । ତେବେ ଛୁଆ ହାତୀ ତିନୋଟି ପଦ୍ମା, ଶିବ, ଶ୍ୟାମ ଏବେ ଅନିଲଙ୍କ ସହ ରହୁଛନ୍ତି । ମା’ ଛେଉଣ୍ଡ ୩ଟି ହାତୀ ଛୁଆଙ୍କର ଯତ୍ନ ନେଉଛନ୍ତି ଅନିଲ । ହାତୀମାନଙ୍କ ସେବା କରିବା ପାଇଁ ନିଜ ପରିବାର ଠାରୁ ଏକ ପ୍ରକାର ଅଲଗା ରହୁଛନ୍ତି ଅନିଲ । ତେବେ ନିଜ ଭବିଷ୍ୟତ ବିଷୟରେ ଚିନ୍ତା ନକରି ହାତୀଙ୍କ ସେବାକୁ  ନିଜର କର୍ମ ଓ ଧର୍ମ ବୋଲି ଭାବି ନେଇଛନ୍ତି ଏହି ଯୁବକ । ହାତୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ବସିବା, ଉଠିବା, ଶୋଇବା, ଆଗନ୍ତୁକଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ପ୍ରଶିକ୍ଷଣ ଦିଆଯାଉଛି ।