ରାୟଗଡ଼ାରେ ଖାଁ ଖାଁ ପଡ଼ିଛି ଧଳା ସୁନା ମଣ୍ଡି । ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟ ଚାଷୀଙ୍କୁ ସୁହାଉନଥିବା ଅଭିଯୋଗ

74

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲାରୁ ଉତ୍ପାଦିତ ହେଉଥିବା କପାର ଚାହିଦା ଅନ୍ତର୍ଜାତୀୟ ବଜାରରେ ରହିଛି । ଜିଲ୍ଲାର ଅଧିକାଂଶ ଚାଷୀ କପା ଚାଷ କରି ଜୀବିକା ନିର୍ବାହ କରନ୍ତି । ତେବେ ଚାଷୀମାନେ ଉତ୍ପାଦିତ କପାକୁ ମଣ୍ଡିରେ ବିକ୍ରି ନକରି ବାହାରେ ବିକ୍ରି କରୁଛନ୍ତି । ଫଳରେ ଶୁନସାନ ହୋଇପଡ଼ିଛି ମଣ୍ଡି । ବାହାର ରାଜ୍ୟର ସୂତାକଳ ମାଲିକ ମାନେ ଏହି କପାକୁ କିଣିବା ପାଇଁ ରାୟଗଡ଼ା ମୁହାଁ ହେଉଛନ୍ତି ।

ଚାଷରେ ବ୍ୟବହୃତ ହେଉଥିବା ରାସୟନିକ ସାର, କପା ପାଇଁ କୀଟନାଶକ ଔଷଧର ଅହେତୁକ ଦରବୃଦ୍ଧି ଅନୁସାରେ ସରକାରଙ୍କ ନିର୍ଦ୍ଧାରିତ ଦର ଚାଷୀଙ୍କୁ ସୁହାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଦୂର୍ଗମ ଅଞ୍ଚଳରୁ ମଣ୍ଡିକୁ କପା ଆଣିବା ତଥା କୁଲି ମଜୁରି ବାବଦକୁ ଅଧିକ ଖର୍ଚ୍ଚ ହେଉଥିବାରୁ ମଣ୍ଡି ଅପେକ୍ଷା ବାହାରେ କପାର କୁଇଣ୍ଟାଲ ପିଛା ଦର ଅଧିକ ଥିବାରୁ ଚାଷୀ କପା ମଣ୍ଡିକୁ ନନେଇ ବାହାରେ ବିକ୍ରି କରି ଲାଭବାନ ହେଉଛନ୍ତି । ଜିଲ୍ଲାରେ ମଣ୍ଡିରେ କପାର ସହାୟକ ମୂଲ୍ୟ ୬ ହଜାର ୩୮୦ ଟଙ୍କା ଥିବା ବେଳେ ବାହାରେ ୮ ହଜାରରୁ ୯ ହଜାର ଟଙ୍କା ରହିଛି । ତାମିଲନାଡୁ, ଗୁଜୁରାଟ, ମୁମ୍ବାଇର ସୂତାକଳ ମାଲିକ ମାନେ ସିଧା ରାୟଗଡା କପା ଚାଷୀଙ୍କ ଘର ଆଗରେ ଗାଡି ଲଗାଇ କିଣି ନେଉଛନ୍ତି । ଯାହା ଫଳରେ ରାୟଗଡା ଜିଲ୍ଲାରେ ୪ ହଜାର ୩୨୬ ଜଣ ଚାଷୀ ସରକାରଙ୍କ ପକ୍ଷରୁ କରାଯାଇଥିବା ମଣ୍ଡିରେ ବର୍ତମାନ ପର୍ଯ୍ୟନ୍ତ ପାଦ ପକାଇନାହାନ୍ତି । ଯାହା ବିଡମ୍ବନାର ବିଷୟ ପାଲଟିଛି । ତେଣୁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।