ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା। ବିଭିନ୍ନ ସ୍ଥାନରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ।

50

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା । ପାନୀୟ ଜଳ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାଘୁଆସୁଣି ଗାଁର ବାସିନ୍ଦା । ସେହିପରି ମାର୍ଶାଘାଇ ବ୍ଳକ ମେହେନ୍ଦିନଗର ପଞ୍ଚାୟତର କରାଣ୍ଡିଆ ପାଟଣା ଗାଁରେ ମଧ୍ୟ ସେହି ସମାନ ସମସ୍ୟା ଦେଖିବାକୁ ମିଳିଛି । ବାଘୁଆଶୁଣି ଗାଁରେ ପାଖାପାଖି ୨୫୦ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ରହିଛି ଦୁଇଟି ନଳକୂପ । ସେଥିମଧ୍ୟରୁ ଗୋଟିଏ ନଳକୂପରୁ ଲୁଣି ଓ କଳଙ୍କି ଲଗା ପାଣି ଆସୁଥିବା ବେଳେ ଅନ୍ୟ ଏକ ନଳକୂପ ଉପରେ ଗାଁର ସମସ୍ତ ଲୋକ ନିର୍ଭର କରନ୍ତି । ତେଣୁ ମହିଳାମାନେ ରାତି ୪ଟାରୁ ପାଣି ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । ଅନ୍ୟପଟେ ପଂଚାୟତବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ୪ଲକ୍ଷ ଟଙ୍କା ବ୍ୟୟରେ ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ଆଜିପର୍ଯ୍ୟନ୍ତ ସେଥିରୁ ଟୋପାଏ ପାଣି ବାହାରିନାହିଁ । ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିପଡ଼ିଥିବା ବେଳେ ଚାରିପଟେ ଗଛପତ୍ର ଉଠିଗଲାଣି । ସେହିପରି ମେହେନ୍ଦିନଗର ପଞ୍ଚାୟତର କରାଣ୍ଡିଆ ପାଟଣାଗାଁରେ ଖରାଦିନ ଆରମ୍ଭରୁ ଦେଖା ଦେଇଛି ଉତ୍କଟ ପାନୀୟ ଜଳର ସମସ୍ୟା । ଦୀର୍ଘ ଦୁଇବର୍ଷ ହେବ ଗ୍ରାମର ୩ ନମ୍ବର ୱାର୍ଡରେ ବସବାସ କରୁଥିବା ୪୦ରୁ ଉଦ୍ଧ୍ୱର୍ ପରିବାରର ପ୍ରାୟ ୨୦୦ ଲୋକ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି । ଖରାଦିନ ଆରମ୍ଭରୁ କୂଅ ପୋଖରୀ ସବୁ ସୁଖିଯିବା ସହିତ ସରକାରଙ୍କ ପକ୍ଷରୁ ବସାଯାଇଥିବା ନଳକୂପରୁ ଆଇରନ୍ ମିଶା ଲୁଣିଆ ପାଣି ବାହାରୁଛି । ଏହି ପାଣିକୁ କିଛି ସମୟ ରଖିଲେ ହଳଦିଆ ପଡଯିବା ସହିତ ଦୁର୍ଗନ୍ଧ ହେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖାଲି ସେତିକିରେ ସରିନି ଗ୍ରାମବାସୀ ମାନଙ୍କର ସମସ୍ୟା ଗାଁ ନିକଟଦେଇ ବହିଯାଇଥିବା କରାଣ୍ଡିଆ ନଦୀରେ ପାଣି ସୁଖିଯିବା ଯିବା ସହିତ ନଦୀ ଶଯ୍ୟାରେ କେବଳ ବାଲି ହିଁ ବାଲି ଦେଖାଯାଉଛି । ଦିନେ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ନଦୀ ଆଜି ସୁଖିଲା ପଡିଛି ଯାହା ଫଳରେ ଗ୍ରାମବାସୀ ମାନଙ୍କର ଜଳ ସମସ୍ୟା ଆହୁରି ବଢିଯାଇଛି ।