କମୁନି ଗୋଦାବରୀ ନଦୀର ଜଳସ୍ତର: ବିପଦ ସଙ୍କେତ ଠାରୁ ୧୭ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ

131

କନକ ବ୍ୟୁରୋ: ମାଲକାନଗିରି ମୋଟୁରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି । ଗୋଦାବରୀ ନଦୀର ଜଳସ୍ତର କମିବାର ନାଁ ଧରୁନି । ଏବେ ବି ପାଣି ବିପଦ ସଙ୍କେତଠାରୁ ୧୭ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ମୋଟୁ ଅଂଚଳର ୫ଟି ବିଦ୍ୟାଳୟ ନିକଟରେ ବନ୍ୟା ପାଣି ପହଂଚିଛି । ପୁରୁଣା ମୋଟୁ ଓ ମୋଟୁ ଅଂଚଳର ୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୁରଳିଗୁଡ଼ା, ଆଲମା, ପେଟା, ବିନାୟକପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ତହସିଲ ଅଫିସ ଦେଇ ମୋଟୁ ମୁଗି ପଏଂଟରୁ ଲମ୍ବିରହିଥିବା ପିଚୁରାସ୍ତା ପାଣିରେ ବୁଡିରହିଛି । ମୋଟୁର ପୁରୁଣା ବସ୍ତି ବନ୍ୟାପାଣିରେ ବୁଡିଯାଇଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ କେବଳ ମୋଟୁ ଅଂଚଳ ନୁହେଁ, ଆନ୍ଧ୍ରର ଅନେକ ଗାଁ ବି ପାଣିଘେରରେ ରହିଛି ।

ମୋଟୁଠାରୁ ମାତ୍ର ୧୦ କିଲୋମିର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ମଣ୍ଡଳ ବେଶୀ ପ୍ରଭାବିତ ହୋଇଛି । ଚିନ୍ତୁରରେ ଥିବା ବଜାର ଘରଦ୍ୱାର ଏବେ ବନ୍ୟାପାଣି ଘେରରେ ଅଛି । ସେହିପରି କାଲେରୁ ଗାଁ ବି ସଂପୂର୍ଣ୍ଣ ବୁଡି ଯାଇଛି ।ଗୋଦାବରୀ ନଦୀର ପଛୁଆ ପାଣିରେ ଓଡିଶାର ମୋଟୁ ସମେତ ଆନ୍ଧ୍ରର ଚିନ୍ତୁର ଓ କାଲେରୁ ଗାଁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସିଲେରୁ ଓ ସାବେରୀ ନଦୀର ପାଣି ପଶି ମୋଟୁରେ ବନ୍ୟା ସ୍ଥିତି ସୃଷ୍ଟି କରିଛି । ତେବେ ବନ୍ୟାଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୩୦୦ରୁ ଉଦ୍ଧ୍ୱର୍ ହଷ୍ଟେଲ ପିଲାଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଛି ।