ମୟୂରଭଞ୍ଜ ଯୁଗୁପୁରା ରେଳ ଫାଟକରୁ ଆସିଲା ଅଭାବନୀୟ ଖବର: ନିଶା ଖାଇ ନିଘୋଡ଼ ନିଦରେ ଶୋଇପଡ଼ିଲେ ଜଗୁଆଳି, ଶେଷରେ ଟ୍ରେନ୍ ଛିଡ଼ା କରି ନିଜେ ଫାଟକ ବନ୍ଦ କଲେ ଲୋକପାଇଲଟ୍

476

କନକ ବ୍ୟୁରୋ: ନିଘୋଡ଼ ନିଦରେ ଶୋଇପଡିଲେ ଜଗୁଆଳି । ଡାକିଲେ ବି ଶୁଣିଲେନି । ଶେଷରେ ଟ୍ରେନ ଛିଡା କରି ନିଜେ ଫାଟକ ପକାଇଲେ ଡ୍ରାଇଭର । ଘଟଣାଟି ଥିଲା ଏମିତି । ଟ୍ରେନ୍ ଆସି ପହଂଚିବା ଉପରେ । ହେଲେ ଗେଟ୍ ପକାଇନଥିଲେ ଫାଟକ ଜଗୁଆଳି । ନିଶା ଖାଇ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ । ଏପଟେ ଶତାଧିକ ଲୋକ ରେଳ ଧାରଣା ପାର ହେଉଥିବାର ଦେଖି ତୁରନ୍ତ ଟ୍ରେନ୍ ଅଟକାଇଥିଲେ ଲୋକପାଇଲଟ୍ । ନିଜେ ଟ୍ରେନରୁ ଓହ୍ଲାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଫାଟକ ପକାଇବା ପରେ ଆଗକୁ ବଢ଼ିଥିଲା ଟ୍ରେନ୍ । ମୟୂରଭଂଜ ବେତନଟୀ ବ୍ଲକ ଯୁଗୁପୁରା ରେଳ ଫାଟକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ମଙ୍ଗଳବାର ବାଙ୍ଗିରିପୋଷି-ରୁପ୍ସା ମେମୋ ଟ୍ରେନ୍ ଦିନ ୯ଟା ସମୟରେ ଯୁଗପୁରା ଷ୍ଟେସନରେ ପହଂଚିଥିଲା । ହେଲେ ଟ୍ରେନ୍ ଛାଡ଼ିବା ବେଳକୁ ଷ୍ଟେସନର ଅନତି ଦୂରରେ ଥିବା ଫାଟକ ଆଉ ପଡ଼ିନଥିଲା । କିଛି ଅମାନିଆ ଯାତ୍ରୀ ରେଳଲାଇନ୍ ପାର କରୁଥିଲେ । ଫାଟକ ଦାୟିତ୍ୱରେ ଥିବା ରତ୍ନାକର ମହାନ୍ତ ସମ୍ପୂର୍ଣ୍ଣ ନିଶାରେ ଶୋଇପଡ଼ିଥିଲେ । ତାଙ୍କୁ ଡାକିଥିଲେ ବି ସେ ଆସି ଫାଟକ ପକାଇନଥିଲେ । ରେଳ ଫାଟକ ଭଳି ଏକ ଗୁରୁ ଦାୟିତ୍ୱରେ ଥାଇ ଜଗୁଆଳି କିଭଳି ନିଶାରେ ରହୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।