କାଷ୍ଟିଂକାଉଚ୍ ମାମଲାରେ ପପୁଙ୍କୁ କ୍ଲିନଚିଟ୍: ଦୋଷମୁକ୍ତ କଲେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ

80

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ୨୦୧୬ କାଷ୍ଟିଂ କାଉଚ୍ ମାମଲାରେ କମେଡି କିଙ୍ଗ ପପୁ ପମପମଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ । ତାଙ୍କ ବିରୋଧରେ ମିଡିଆ ଟ୍ରାଏଲ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଭୁଲ ନକରି ମଧ୍ୟ ସେ ୪୩ ଦିନ ଜେଲରେ ରହିିଲେ । ନାବାଳିକା ତାଙ୍କ ନାଁରେ ସିଧା ଅଭିଯୋଗ କରିନଥିଲେ । ବରଂ ନାବାଳିକାଙ୍କଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ସେହି ସବୁ କଥାକୁ ନାବାଳିକା ନିଜେ ମାନିଥିବା କହିଛନ୍ତି ପପୁ ।

ପପୁଙ୍କୁ କ୍ଲିନଚିଟ ପରେ ସାମ୍ନାକୁ ଆସିଛନ୍ତି ସମାଜସେବୀ ତଥା ଆଇନଜୀବୀ ବବିତା କର । ପୁରା ମାମଲାର ପୀଡିତାଙ୍କୁ ପ୍ରଭାବିତ କରାଯାଇଥିବା କହିଛନ୍ତି ବବିତା । ଟିଭି ଆଲୋଚନାରେ ବସିଥିବା ବେଳେ ନାବାଳିକା ଜଣଙ୍କ ତାଙ୍କ ପାଖକୁ ଆସି ପପୁ ଓ ସହଯୋଗୀ ଗିଟୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବୋଲି କହିଛନ୍ତି । ଯେଉଁଥିପାଇଁ ସେ ନିଜେ ପପୁଙ୍କ ବିରୋଧରେ ଥାନାରେ ଏତଲା କରିଥିଲେ । ପପୁ ଖୁବ ପ୍ରଭାବଶାଳୀ ହୋଇଥିବାରୁ ମାମଲା ରଫାଦଫା କରିବାକୁ ଚାପ ପକାଇଥିବା କହିଛନ୍ତି ବବିତା । ଏପରିକି ପୀଡିତା ପରିବାରକୁ ଟଙ୍କା ଦେଇ ପୀଡିତାଙ୍କୁ ବୟାନ ବଦଳାଇବା ପାଇଁ ଚାପ ପକାଯାଇଥିଲା । ମାମଲାକୁ ହାଲୁକା କରିବା ପାଇଁ ପପୁ ସବୁ କୌଶଳ କରିଥିବା ସେ ସିଧାସିଧା ଅଭିଯୋଗ କରିଛନ୍ତି ।

ଫିଲ୍ମରେ ଅଭିନୟର ସୁଯୋଗ ଦେବାକୁ କହି ଜଣେ ନାବାଳିକାଙ୍କୁ ପପୁ ଓ ତାଙ୍କ ସହଯୋଗୀ ଗିଟୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୨୦୧୬ ଜୁନ୍ ୩୦ ତାରିଖରେ ଉଭୟଙ୍କୁ ପୁରୀର ଏକ ଆପାର୍ଟମେଂଟରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଆଇପିସିର ବିଭିନ୍ନ ଦଫା ସହ ପସ୍କୋ ଆଇନର ଦଫା ୮ ଓ ୧୨ରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ ବି ହୋଇଥିଲା । କିନ୍ତୁ ମାମଲା ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟକୁ ସ୍ଥାନାନ୍ତର ହେବା ପରେ ପପୁଙ୍କୁ କ୍ଲିନଚିଟ୍ ମିଳିଛି ।