କରୋନା ବେଳର ସଂଘର୍ଷ କାହାଣୀ: ଦେଢମାସ ପରେ ମିଳିଲା ନୂଆ ଜୀବନ

76

କନକ ବ୍ୟୁରୋ: ପରିବାର ଲୋକ କହିଦେଇଥିଲେ, ବଂଚିବାର ଆଉ ଆଶାନାହିଁ । ହେଲେ ତୋସିଲିଜୁମାବ ଇଂଜେକ୍ସନ ବଂଚାଇଦେଲା ଜୀବନ । ଦୀର୍ଘ ଦେଢମାସକାଳ ଆଇସିୟୁ ଓ ଭେଂଟିଲେଟରରେ କରୋନା ସହ ଲଢେଇ କରିବା ପରେ ନୂଆ ଜୀବନ ପାଇଛନ୍ତି ସୁନ୍ଦରଗଡ ସହରର ଫାଷ୍ଟଫୁଡ ଦୋକାନୀ ସୁଶୀଲ ଘୋଷ । କରୋନାର ଦ୍ୱିତୀୟ ଲହର ସମୟରେ ସୁନ୍ଦରଗଡ କରୋନା ଗ୍ରାଫରେ ଏକ ନମ୍ବରରେ ଥିଲା । ଏହି ସମୟରେ ସେ କରୋନାରେ ଆକ୍ରନ୍ତ ହୋଇଥିଲେ । ଶରୀରର ଅମ୍ଲଜାନ ସ୍ତର କମିଯାଇଥିଲା । ଭେଂଟିଲେଟରରେ ସଂଘର୍ଷ କରୁଥିଲେ ସୁଶୀଲ । କିନ୍ତୁ ଏକ ଇଂଜେକନ୍ସନ ସୁଶୀଲଙ୍କ ଜୀବନକୁ ବଂଚାଇଦେଇଥିଲା ।

କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ଖରିନାସୀ ଗାଁ ସୁରେନ୍ଦ୍ର ବେହେରା ମୃତ୍ୟୁକୁ ପାଖରୁ ଦେଖି ପୁଣି ନୂଆ ଜୀବନ ପାଇଛନ୍ତି । କରୋନା ବେଳେ ସେ ଭେଂଟିଲେଟରରେ ରହିଥିଲେ । ଅକ୍ସିଜେନ ସ୍ତର କମିଯିବା ସହ ଫୁସଫୁସ ବି ଆକ୍ରାନ୍ତ ହୋଇଥିଲା । ଧାରକରଜ କରି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ପରିବାର ଲୋକେ । ଏବେ ବି ସେହି କଥା ମନପଡିଲେ ପରିବାର ଲୋକଙ୍କ ମାଟିତଳୁ ପାଦ ଖସିଯାଏ । ଧାର ଟଙ୍କା କିଭଳି ସୁଝିବେ ଏବେ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି ।

କରୋନାର ଦ୍ୱିତୀୟ ଲହରରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ମାଆ ଓ ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଇଡି କଲୋନୀରେ । ଏହି କଲୋନୀର ପ୍ରତିଭା ମିଶ୍ର ଓ ଦୀପକ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ପୁରା ପରିବାରକୁ କରୋନା ଆକ୍ରାନ୍ତ କରିଥିଲା । କରୋନାରେ ପ୍ରତିଭା ମିଶ୍ରଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରତିଭା ଓ ଦୀପକ ସୁସ୍ଥ ହୋଇଥିଲେ । ବର୍ତମାନ ପୁଣି କୋଭିଡ ଚିନ୍ତା ଘାରିଥିବାବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ନିୟମ ମାନିବାକୁ ନିବେଦନ କରିଛନ୍ତି ମାଆ ଓ ପୁଅ ।

କେବଳେ ଏମାନେ ନୁହନ୍ତି କରୋନାରେ ଏମିତି ଅନେକ ଅଛନ୍ତି ଯେଉଁମାନେ ନିଜ ସଂଘର୍ଷର କାହାଣୀ କହିଛନ୍ତି । କରୋନା ଅନେକ ଲୋକଙ୍କ ଜୀବନକୁ ବଦଳାଇଦେଇଛି । ଯେତେବେଳେ ପୁଣି କରୋନା ଭୟ ବିଶ୍ୱର ଚିନ୍ତା ବଢାଇଛି ସମସ୍ତେ କରୋନା ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।