ବଡଦିନରେ ପୁରୀ ବଡଦାଣ୍ଡରେ ବଡଭିଡ: କରୋନା କଟକଣା ନଥିବାରୁ ଦିଅଁ ଦର୍ଶନ ପାଇଁ ଲାଗିଛି ଗହଳି

93

କନକ ବ୍ୟୁରୋ: ଆଜି ହେଉଛି ଭଗବାନ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ । ଏଥିପାଇଁ ଚର୍ଚ୍ଚ ଯେତିକି ଚଳଚଂଚଳ ତାଠୁ ଅଧିକ ଚଂଳଚଂଚଳ ମନ୍ଦିର । ବଡଦିନ ତା ସାଙ୍ଗକୁ ରବିବାର ପଡୁଥିବାରୁ ଆଜି ପୁରୀରେ ପ୍ରବଳ ଭିଡ ଦେଖିବାକୁ ମିଳିଛିି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବଡଦାଣ୍ଡରେ ଲମ୍ବା ଲମ୍ବା ଧାଡିରେ ଠିଆହୋଇଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । କରୋନାର ନୂଆ ଭାରିଆଂଟକୁ ନେଇ ଏବେ ଚିନ୍ତା ବଢୁଥିବାରୁ ପୁରୀରେ ଏଭଳି ଭିଡ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ଆହୁରୀ ଗହଳି ହେବ ବୋଲି ଆଶଙ୍କା କରାଯାଉଛି । ଏପରି ସ୍ଥଳେ କୋଭିଡ କଟକଣା ପାଳନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଆଜି ସକାଳୁ ସକାଳୁ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା । ହଜାର ହଜାର ପର୍ଯ୍ୟଟକ ଟିକେଟ୍ କାଉଁଟର ଆଗରେ ଭିଡ ଜମାଇଥିବା ବେଳେ ଲୋକାରଣ୍ୟ ହୋଇପଡିଥିଲା ପୁରା ଅଂଚଳ । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଅନେକ ପର୍ଯ୍ୟଟକଙ୍କୁ ନନ୍ଦନକାନରେ ଦେଖିବାକୁ ମିଳିଥିଲା । ଗତ ବର୍ଷ କୋଭିଡ କଟକଣା ଯୋଗୁ ବଡଦିନରେ ମାତ୍ର ୭ ହଜାର ୭୫୭ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ ଚଳିତ ବର୍ଷ ୩୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଛି ।

ଆଗକୁ ଆସୁଛି ନୂଆବର୍ଷ । ପୁରୀ ଓ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳୀ ଆହୁରୀ ଅଧିକ ହେବ । ଏହାରି ଭିତରେ କରୋନା ସଂକମଣ ବିଶ୍ୱରେ ପୁଣି ଉପରମୁହାଁ ହେଉଥିବାରୁ ଭିଡ ନିୟନ୍ତ୍ରଣ କରିବା ଓ ସଂକ୍ରମଣ ରୋକିବା ପ୍ରଶାସନ ପାଇଁ ଆହ୍ୱାନ ହୋଉଛି ।