ଭିଡ଼ ଭିତରୁ ବାଲେଶ୍ୱର ସାଂସଦଙ୍କୁ ଡାକିଲେ ପ୍ରଧାନମନ୍ତ୍ରୀ: ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମୋଦିଙ୍କୁ ଭେଟିଲେ, ପ୍ରତାପ ଷଡ଼ଙ୍ଗୀ, ଭେଟଘାଟକୁ ନେଇ ଚର୍ଚ୍ଚା

540

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଓ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଏକ ଫଟୋ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଫଟୋଟି ହେଉଛି ସଂସଦରେ ଶୀତ ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସାକ୍ଷାତ ସମୟର । ହୁଏତ ସାକ୍ଷାତ ସୌଜନ୍ୟମୂଳକ ଥିଲା, କିନ୍ତୁ ରାଜ୍ୟରେ ବିଜେପିର ସବୁଠୁ ପୁରୁଣା ସିପାହୀଙ୍କୁ ଦଳର ସର୍ବମାନ୍ୟ ନେତା ଭେଟିବା ବଡ ଇସାରା ଦେଉଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା
କ’ଣ ହେବ ବାଲେଶ୍ୱର ସାଂସଦଙ୍କ ଭବିଷ୍ୟତ?

୨୦୨୩ରେ ବାଲେଶ୍ୱର ସାଂସଦଙ୍କ ଭବିଷ୍ୟତ କ’ଣ ହେବ ତାର ସୁରାକ୍ ଏ ଫଟୋରେ ଲୁଚିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଆଉ ଚର୍ଚ୍ଚା ପଛର ବଡ କାରଣ ଦେଉଛି ବର୍ତମାନର ରାଜନୈତିକ ପରିସ୍ଥିତି ଓ ସାକ୍ଷାତ ସମୟ । କୁହାଯାଉଛି ନିଜେ ପ୍ରଧାନମନ୍ତ୍ରୀ ତାଙ୍କୁ ଡାକି ସାକ୍ଷାତ ଆଲୋଚନା କରିଛନ୍ତି । ଚର୍ଚ୍ଚା ହେଉଛି

ଜାନୁୟାରୀରେ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବାକୁ ଯାଉଛନ୍ତି
ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଳାଇଥିବା ପ୍ରତାପଙ୍କ ଉପରେ ପୁଣି ଭରସା କରିପାରନ୍ତି ମୋଦୀ
ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିବା ସାଂସଦ ପ୍ରତାପ ଷଡଙ୍ଗୀ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି
କିମ୍ବା ୨୦୨୪ ପରେ ରାଜ୍ୟପାଳ ଦାୟିତ୍ୱ ଦେଇପାରେ କେନ୍ଦ୍ରୀୟ ବିଜେପି

ଏପଟେ ୨୦୨୩ ଜାନୁୟାରୀରରେ ସରୁଛି ବିଜେପି ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ । ସାଂସଦ ବସନ୍ତ ପଣ୍ଡାଙ୍କ ଠାରୁ ରାଜ୍ୟ ବିଜେପିର ମଙ୍ଗ ଧରିଥିଲେ ବରିଷ୍ଠ ନେତା ସମୀର ମହାନ୍ତି । ଜାନୁୟାରୀରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ରାଜ୍ୟ ବିଜେପିର ପରବର୍ତି ମୁଖିଆ କିଏ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀ ଭେଟିବା ଘଟଣାକୁ ରାଜ୍ୟ ସଭାପତି ପଦ ସହ ଯୋଡି ଦେଖାଯାଉଛି । କାରଣ ପୂର୍ବରୁ ବିରୋଧୀ ଦଳ ନେତା ଭାବେ ଜଣେ ଫାୟାର ବ୍ରାଣ୍ଡ ନେତା ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି ଦଳ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟ ମୁଖିଆ କରି ୨୦୨୪ରେ ବିଜେଡି ସହ ମୁହାମୁହିଁ ଲଢେଇ ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।

ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ମୋଦୀଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ରମନ୍ତ୍ରୀ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ପ୍ରତାପ ଷଡଙ୍ଗୀ । ସେ ସଂସଦରେ ସଂସ୍କୃତରେ ଭାଷଣ ଦେବା ହେଉ କି, ତାଙ୍କ ସରଳ ଜୀବନ ଓ ହିନ୍ଦୁତ୍ୱବାଦୀ ଛବି ଜାତୀୟ ଗଣମାଧ୍ୟମରେ ସବୁ ବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଏବେ ମନ୍ତ୍ରୀ ପଦରେ ନଥିଲେ ବି ପ୍ରତାପଙ୍କୁ ନେଇ ଚର୍ଚ୍ଚା ଥମୁ ନାହିଁ ।