ଅସ୍ଥାୟୀ କର୍ମଚାରୀଙ୍କ ହାତରେ ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍ । ୩୭ ବର୍ଷ ହେବ ସଂସ୍ଥା ଚଳାଉଛନ୍ତି ୨ଜଣ ଅସ୍ଥାୟୀ କର୍ମଚାରୀ

98

କନକ ବ୍ୟୁରୋ : ଦୃଷ୍ଟିବାଧିତ ପିଲାଙ୍କ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ୧୯୮୬ରେ ବ୍ରହ୍ମପୁରରେ ସ୍ଥାପନ ହୋଇଥିଲା ବ୍ରେଲି ପ୍ରେସ୍ । ୧୦ ହଜାରରୁ ଅଧିକ ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ବ୍ରେଲି ଡମି ବେଲଟ୍ ସିଟ୍ ଏଠାରେ ଛାପା ଯାଏ । କେବଳ ସେତିକି ନୁହେଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଦାନରେ ପରିଚାଳିତ ରାଜ୍ୟର ୩୫ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଓ ଯୁକ୍ତଦୁଇ କଲେଜର ୩ହଜାରରୁ ଅଧିକ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ଛପା ଯାଏ । ୩୭ ବର୍ଷ ଧରି ଏସବୁ ଛପାଉଛନ୍ତି ବ୍ରେଲି ପ୍ରେସ୍ର ୨ ଜଣ ଅସ୍ଥାୟୀ କର୍ମଚାରୀ । ମାତ୍ର ୧୫ ହଜାର ଟଙ୍କାର ପାରିଶ୍ରମିକରେ ଜଣେ ମ୍ୟାନେଜର ଓ ଜଣେ ଷ୍ଟେରିଏ ଟାଇପ୍ ଅପରେଟର ଦାୟିତ୍ୱ ତୁଲାଇ ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ । ସ୍ୱଳ୍ପ ଦରମାକୁ ନେଇ ମନରେ ଅବଶୋଷ ଥିଲେ ମଧ୍ୟ ଦୃଷ୍ଟିବାଧିତଙ୍କ ପାଇଁ କାମ କରି ନିଜକୁ ଧନ୍ୟ ମଣୁଥିବା କହିଛନ୍ତି ।

ପ୍ରଥମେ ବ୍ରହ୍ମପୁର ବ୍ରେଲି ପ୍ରେସରେ ମାନୁଆଲ ମେସିନ ଦ୍ୱାରା ବହି ଛପା ହେଉଥିଲା । ହେଲେ ପରବର୍ତି ସମୟରେ ପ୍ରର୍ଯ୍ୟାୟ କ୍ରମେ ୨୦୧୩ ଓ ୨୦୧୯ରେ ଦୁଇଟି କମ୍ପ୍ୟୁଟରାଇଜ୍ଡ ମେସିନ ଓ ଗୋଟିଏ ମାନୁଆଲ ମେସିନ ଆସିଛି । କମ୍ ଦରମା ଯୋଗୁଁ ନୂଆ କର୍ମଚାରୀ ଅଳ୍ପ ଦିନରେ କାମ ଛାଡୁଥିବା ବେଳେ କରୋନା ପର ଠାରୁ ପ୍ରୁଫ୍ ରିଡର ଆସୁନାହାନ୍ତି । ଦୃଷ୍ଟିବାଧିତ ବିଦ୍ୟାଳୟର ଜଣେ ଶିକ୍ଷକ ତାଙ୍କ କାମ ଚଳାଉଛନ୍ତି । ଜିଲ୍ଲା ପ୍ରଶାସନ ସହଯୋଗରେ ସରକାର ସମସ୍ତ ଆବଶ୍ୟକତା ପୁରଣ କରୁଛନ୍ତି । କିନ୍ତୁ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଓ ଦରମା କଥା ପଡିଲେ ସରକାର ଦୃଷ୍ଟିବାଧିତ ହୋଇପଡୁଥିବା ଅଭିଯୋଗ ହୋଇଛି ।

ନିରନ୍ତର ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ଆଉ କିଛି ଦିନରେ ସରିଯିବ । ତେବେ ସେମାନଙ୍କ ଅବସର ପୂର୍ବରୁ ସ୍ଥାୟୀ ନିଯୁକ୍ତି ବାବଦରେ ସରକାର କିଛି ନିଷ୍ପତି ନେଲେ, ହୁଏତ ସେମାନଙ୍କ ମନରେ ଥିବା କୋହ କମିପାରନ୍ତା ।