ଅବହେଳିତ ଉପାନ୍ତ ଅଂଚଳ, ଚିତ୍ରକୋଣ୍ଡା ଧୋନାପୁଟରେ ଗମନାଗମନର ଏକମାତ୍ର ମାଧ୍ୟମ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କାଠପୋଲ
କନକ ବ୍ୟୁରୋ : ନାହିଁ ନାହିଁର ଗାଁ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଧୋନାପୁଟ ଗାଁ । କାରଣ ଉପାନ୍ତ ଦୁର୍ଗମ ଗାଁକୁ ଯିବାକୁ ହେଲେ କାଠପୋଲରେ ନଦୀ ପାରି ହେବାକୁ ପଡିବ । ପୁଣି ଗ୍ରାମବାସୀଙ୍କ ଦ୍ୱାରା କେଇ ଖଣ୍ଡ କାଠରେ ତିଆରି ହୋଇଥିବା ପୋଲ ଉପରେ । ବର୍ଷ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଂଚଳବାସୀ । ଧୋନାପୁଟ ଗାଁର ଛୋଟରୁ ବଡ, ରୋଗୀଙ୍କ ଠାରୁ ଗର୍ଭବତୀ ମହିଳା ସମସ୍ତେ ଏହି କାଠ ପୋଲ ଉପରେ ଯିବା ଆସିବା କରୁଛନ୍ତି । ଅନ୍ୟ ଦିନରେ ଯାହା ଯେମିତି ଚଳିଯାଏ, ବର୍ଷା ଦିନରେ ସ୍ଥିତି ବେହାଲ ହୋଇଯାଏ । ନଦୀରେ ଜଳସ୍ତର ବଢିଲେ ପୋଲ ବୁଡି଼ଯାଏ, ଗମନାଗମନ ବନ୍ଦ ହୋଇଯାଏ । ଯଦି ବି କେହି ଯିବା ଆସିବା କରନ୍ତି, ତେବେ ଦୁର୍ଘଟଣା ଘଟିବାର ନଜିର ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଧୋନାପୁଟ ଗାଁରେ କେବଳ ଗମନାଗମନ ସମସ୍ୟା ରହିଛି ତାହା ନୁହେଁ, ଏଠି ଲୋକଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମୁନ୍ଦେ ମିଳେ ନାହିଁ । ଖରା ଦିନ ଦୁଷିତ ଚୁଆ ପାଣି ପିଉଥିବା ଲୋକେ ବର୍ଷାଦିନେ ନଦିର ଗଳିଆ ପାଣି ପିଇବାକୁ ବାଧ୍ୟ ହୁଅନ୍ତି । ଗାଁରେ ପ୍ରାଥମିକ ଶିକ୍ଷାର କୌଣସି ବ୍ୟବସ୍ଥା ନାହିଁ, ତେଣୁ ଅନେକ ପିଲା ସ୍କୁଲ ନଯାଇ ଗାଈ ଚରାଇବାକୁ ପାହାଡ଼ ଚଢିଥାନ୍ତି । ସେହିଭଳି ରାସ୍ତା ନଥିବାରୁ ୫ଶହ ଟଙ୍କାର ଭତା ଆଣିବା ପାଇଁ ହିତାଧିକାରୀ ୨ଶହ ଟଙ୍କା ଖର୍ଚ୍ଚ କରି ବ୍ୟାଙ୍କକୁ ଯାଇଥାନ୍ତି ।
ଲୋକଙ୍କ ଗମନାଗମନକୁ ବ୍ୟବସ୍ଥିତ କରିବା ପାଇଁ କଂକ୍ରିଟ ପୋଲଟିଏ ନିର୍ମାଣ କରିବାକୁ ବହୁବାର ଦାବି ହୋଇଛି । ଗାଁ ଲୋକ ପ୍ରଶାସନିକ ବାବୁଙ୍କୁ ବି ଜଣାଇଛନ୍ତି । ହେଲେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି କାହାର ନିଘା ନଥିବା ଅଭିଯୋଗ ହୋଇଛି ।