ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ।

347

କନକ ବ୍ୟୁରୋ: ଆଉ ନାହାଁନ୍ତି ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା ।

ଗତକାଲି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଗସ୍ତରେ ଯାଇ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କୁ ହସ୍ପିଟାଲରେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସୁସ୍ଥତା କାମନା କରିଥିଲେ । ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ । ୧୦ ଥର ବିଧାୟିକା ଭାବେ ସେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୬୧ ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।