‘ମୋର ନୁହେଁ ତ କାହାର ନୁହେଁ’: ପରକୀୟା ପ୍ରେମରୁ ହତ୍ୟାକାଣ୍ଡ!

544

କନକ ବ୍ୟୁରୋ: ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ମୋର ନୁହେଁ ତ କାହାର ନୁହେଁ । ଏମିତି କହି ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଝରଣା ନଗରରେ ଏଭଳି ହତ୍ୟାକାଣ୍ଡ ଘଟିଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୀତାଂଜଳି ରଂଜିତ୍ । କ୍ୟାପିଟାଲ ଥାନା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ମୃତ ମହିଳା ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ପୁଲିସ ସନ୍ଦେହ କରୁଛି ।

ସ୍ତ୍ରୀ – ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ସ୍ୱାମୀ – କୁଞ୍ଜ ବିହାରୀ ଦତ୍ତା ହସ ଖୁସିର ସଂସାର । ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିନ ଝରଣା ସାହିରେ ରୁହନ୍ତି । ବାପୁଜାନଗରରେ ମୋବାଇଲ ଦୋକାନ କରି ଭଲରେ ଚଳନ୍ତି । ଦୋକାନ ମରାମତି ପାଇଁ କାମ ନେଇଥିଲା କାଳୁ ନାମକ ଯୁବକ । ମାତ୍ର ୨୦ ଦିନରେ କାଳୁ ଆଉ ଦିପିକାଙ୍କ ମଧ୍ୟରେ ଗଢି ଉଠିଥିଲା ସଂପର୍କ । ପ୍ରଥମେ ପ୍ରେମ, ଆଉ ତାପରେ ସବୁଦିନ ପାଇଁ ନିଜର କରିବାର ପ୍ରତିଶ୍ରୁତିି । ଉଭୟଙ୍କ ଭିତରେ ଭଲ ପାଇବା ଏତେ ନିବିଡ ହୋଇ ଯାଇଥିଲା ଯେ, ଦୀପିକାକୁ ନେଇ ଫେରାର ହେବାକୁ ବସିଥିଲା କାଳୁ ।

ମଙ୍ଗଳବାର ସଂଧ୍ୟା ୭ଟା ବେଳେ, ଘର ଭିତରେ ଏକୁଟିଆ ଥିଲା ଦିପିକା । ସାଙ୍ଗରେ ନେଇ ଫେରାର ହେବାକୁ ଅଡି ବସିଥିଲା କାଳୁ । ଅରାଜି ହେବାର ଉଭୟଙ୍କ ଭିତରେ ଆରମ୍ଭ ହୋଇଯାିଥିଲା ଯୁକ୍ତିତର୍କ ଆଉ କଥା କଟାକଟି । ଏଥିରେ ରାଗି ଯାଇ ମୋର ନୁହେଁ ନୁହେଁ ତ କାହାର ହବୁନି କହି ଦୀପିକାଙ୍କ ପେଟରେ ଛୁରୀ ଭୁଷି ଦେଲା କାଳୁ । ଜୀବନ ବିକଳରେ ଦୌଡି ଦୌଡି ପଡୋଶୀଙ୍କ ଘର ଭିତରକୁ ଧାଇଁଥିଲେ ଦିପିକା । ଚିକିତ୍ସାଧିନ ଅବସ୍ଥାରେ ଦୀପିକାଙ୍କ ମୃତ୍ୟୁ ହୋଇଗଲା ।

କ୍ୟାପିଟାଲ ଥାନା ପୁଲିସ ସାଇଂଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି । ରକ୍ତ ନମୁନା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରି ଖୋଳତାଡ କରୁଛି ପୁଲିସ । ଘଟଣାସ୍ଥଳରେ ହତ୍ୟାକାଣ୍ଡ ଦେଖିଥିିବା ବ୍ୟକ୍ତି ବିଶେଷଙ୍କର ବୟାନ ରେକର୍ଡ ବି କରାଯାଇଛି । ନିଜ ସ୍ୱାମୀକୁ ଅନ୍ଧାରରେ ରଖି ଅନ୍ୟ ଯୁବକ ସହ ସଂପର୍କ ମହଙ୍ଗା ପଡିଛି । ପରକିୟା ପ୍ରେମର କରୁଣ ପରିଣତି କେତେ ଭୟଙ୍କର ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।