ରତ୍ନଭଣ୍ଡାର ଖୋଲିବା ଦାବି ଭିତରେ କନକ ନ୍ୟୁଜ ହାତରେ ଲାଗିଲା ପ୍ରତ୍ନତତ୍ତ୍ୱ ବିଭାଗର ଚିଠି । ରତ୍ନଭଣ୍ଡାର ପ୍ଲାଷ୍ଟର ଦୁର୍ବଳ, କାନ୍ଥକୁ ହାତରେ ପିଟିଲେ ଶୁଭୁଛି ଫମ୍ପା ଶବ୍ଦ 

100

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଦୁର୍ବଳ ହୋଇପଡିଥିବା ନେଇ ଏଏସଆଇର ଚିଠି କନକ ନ୍ୟୁଜ ହାତରେ ଲାଗିଛି । ୮ ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଏଥିରେ ଲେଖାଯାଇଛି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ୍ ୨୬ ତାରିଖରେ ଏକ ବୈଷୟିକ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ, ହେଲେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ନମିଳିବାରୁ କେବଳ ବାହାରୁ ସ୍ଥିତିର ଅନୁଧ୍ୟାନ କରିଥିଲେ ।

ସେତେବେଳେ କମିଟି ଅନୁଭବ କରିଥିଲେ, କେତେକ ସ୍ଥାନରେ କାନ୍ଥର ପ୍ଲାଷ୍ଟର ଦୁର୍ବଳ ହୋଇଯାଇଛି । ବାହାରୁ କାନ୍ଥରେ ଆଘାତ କଲେ ଫମ୍ପା ଶବ୍ଦ ଶୁଣା ଯାଉଛି । ତେଣୁ ପ୍ରକୃତରେ ରତ୍ନଭଣ୍ଡାର କାନ୍ଥର ସ୍ଥିତି କିଭଳି ଅଛି ତାହା ଭିତରୁ ଅନୁଧ୍ୟାନ କରିଲେ ହିଁ ଜଣାପଡିବ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଭିତର ରତ୍ନଭଣ୍ଡାରକୁ ଯାଇ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଚିଠିକୁ ଆଧାର କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠିଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି ଉଠୁଛି । ଆଗାମୀ ୨୭ ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏଥିରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି କରିବା ପାଇଁ ପୁଣି ଥରେ ଦାବି ଜୋର ଧରିଛି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ଏବଂ ଏଠାରେ ଥିବା ସ୍ୱର୍ଣ୍ଣ ଆଭୂଷଣକୁ ନେଇ ସାଧାରଣରେ ସନ୍ଦେହ ଥିବାରୁ ସରକାର ରତ୍ନଭଣ୍ଡାର ଖୋଲିଦେବା ଉଚିତ । ପୁରୀର ବୁଦ୍ଧିଜୀବି ଓ ପରିଚାଳନା କମିଟି ସଦସ୍ୟ ମଧ୍ୟ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ।

୧୯୮୫ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ୧୨ ହଜାର ୮୩୮ ଭରି ସୁନା ଓ ୨୨୦୦ ଭରି ରୁପା ଅଳଙ୍କାର ରହିଥିବା କହିଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସେହି ପରିମାଣର ସୁନାଗହଣା ଏବେ ଅଛି କି ନାହିଁ ତାକୁ ନେଇ ସନ୍ଦେହ ଦୂର କରିବାକୁ ସରକାର ରତ୍ନଭଣ୍ଡାର କାହିଁକି ଖୋଲୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ।

ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଥରେ ଭିତର ରତ୍ନଭଣ୍ଡାର ଖୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାଗହଣାକୁ ଗଣତି କରିବା କଥା । ହେଲେ ଗତ ୩୭ ବର୍ଷ ଧରି ଏହାକୁ ଖୋଲାଯାଇନାହିଁ । ଶେଷଥର ପାଇଁ ୧୯୮୫ରେ ରତ୍ନଭଣ୍ଡାର ଖୋଲି ସୁନାଗହଣାର ଗଣତି କରାଯାଇଥିଲା, ଯାହା ରେକର୍ଡଭୁକ୍ତ ହୋଇ ରହିଛି । ଶ୍ରୀଜିଉଙ୍କ ବିଭିନ୍ନ ବେଶ ପାଇଁ ନିୟମିତ ଭାବେ ବ୍ୟବହାର ହେଉଥିବା ଗହଣା କେବଳ ବାହାର ରତ୍ନଭଣ୍ଡାରରେ ରହିଛି । କୁହାଯାଉଛିି, ଭିତର ରତ୍ନଭଣ୍ଡାର ଖୋଲା ନଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ ମଧ୍ୟ ହୋଇପାରୁନାହିଁ । ତେଣୁ ଆଗାମୀ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତି କରିବାକୁ ଦାବି ଜୋର ଧରିଛି ।