ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବିପଦ ଏଡାଇବାକୁ ଖୋଲିଲା ହୀରାକୁଦର ୪ଟି ଗେଟ୍ ।

214

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦିଆଯାଇଛି । ସେପଟେ ହୀରାକୁଦ ଜଳଭଣ୍ଡାରରେ ପାଣି ଟଳମଳ ହେଉଛି । ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷାର ପୂର୍ବାନୁମାନ କରିବା ପରେ, ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ, ହୀରାକୁଦର ୪ଟି ଗେଟ୍ ଖୋଲାଯାଇ ପାଣି ଛଡା ଯାଉଛି ।

  • ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ
  • ରୁଲକର୍ଭ ଅନୁସାରେ ଖୋଲିଲା ହୀରାକୁଦ ଗେଟ୍

ଆଜି ଦିନ ୧୦ଟାରେ ଖୋଲିଛି ହୀରାକୁଦ ନଦୀବନ୍ଧର ୪ଟି ଗେଟ୍ । ଆଗାମୀ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଖୋଲିଛି ହୀରାକୁଦ ଗେଟ୍ ।

– ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ରହିଛି ୬୩୦ ଫୁଟ୍

– ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୬୨୯.୨୭ ଫୁଟ୍ରେ ପହଞ୍ଚିଛି

– ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫୯ ହଜାର ୨୦୩ କ୍ୟୁସେକ୍ ଜଳ

– ରୁଲକର୍ଭ ଅନୁସାରେ ସେପ୍ଟେମ୍ବର ୨୦ ସୁଦ୍ଧା ଜଳସ୍ତର ରହିବା କଥା ୬୨୮.୪ ଫୁଟ୍

– ମହାନଦୀ ଉପରମୁଣ୍ଡରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

– ତେଣୁ ହୀରାକୁଦ ଜଳ ଭଣ୍ଡାରକୁ ଖାଲି କରି ଏଥିପାଇଁ ପ୍ରସ୍ତୁତ ରଖାଯାଉଛି

ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ କାଲି ସକାଳ ସାଢେ ୮ଟା ଯାଏଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳକି ପାଣିପାଗ କେନ୍ଦ୍ର । ସେହିପରି ୨୧ ତାରିଖରେ ୯ ଜିଲ୍ଲା ଓ ୨୨ ତାରିଖରେ ୨ଟି ଜିଲ୍ଲାରେ ୭ରୁ ୨୦ ମିଲିମିଟର ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

୨୦ ସେପ୍ଟେମ୍ବର– ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ

୨୧ ସେପ୍ଟେମ୍ବର– ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ଦେବଗଡ, ବରଗଡ, ସୁନ୍ଦରଗଡ, ଝାରସୁଗୁଡା

୨୨ ସେପ୍ଟେମ୍ବର– ବରଗଡ ଓ ଝାରସୁଗୁଡା

ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦିଆଯାଇଛି । ଅରେଞ୍ଜ ଓ ୟେଲୋ ଆଲର୍ଟରେ ଥିବା ଜିଲ୍ଲାଗୁଡିକରେ ପ୍ରଶାସନିକ କଳକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।