ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ବାଡକୁ ଧକ୍କା ଦେଇ ୫୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ

123

କନକ ବ୍ୟୁରୋ: ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶ ଦେଖିଥିଲା ଭୟଙ୍କର ଦୁର୍ଘଟଣା । ସବୁଦିନ ପରି ଯାତ୍ରୀଙ୍କୁ ନେଇ ବାହାରିଥିବା ଏକ ଘରୋଇ ବସ ହଠାତ ନଦୀ ଉପରୁ ୫୦ଫୁଟ ତଳକୁ ଖସିପଡିଥିଲା । ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଖରଗୋନଠାରେ । ଶୁଖିଲା ନଦୀ ପଠାରେ ବସ କଚାଡି ହୋଇପଡିବା ପରେ ଯାତ୍ରୀଙ୍କ ଅବସ୍ଥା କଣ ହୋଇଥିବ ଆପଣ ଏହି ଦୃଶ୍ୟକୁ ଦେଖି ଜାଣିପାରୁଥିବେ । କିଏ ଆହତ ହୋଇ ଛଟପଟ ହେଉଥିଲେ ତ ପୁଣି କିଏ ପ୍ରାଣ ହରାଇସାରିଥିଲେ । ଦେଖୁ ଦେଖୁ ଘଟଣାସ୍ଥଳରେ ଅନେକଙ୍କ ଜୀବନ ଚାଲିଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚିବା ପୂର୍ବରୁ ସ୍ଥାନୀୟ ଲୋକ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ପହାଁଇଥିଲେ ।

ଏହି ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । କେବଳ ଘଟଣାସ୍ଥଳରେ ୧୫ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବାକି ୭ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଏବେ ବି ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି । ଏହାବାଦ୍ ଗୁରୁତରଙ୍କ ଚିକିିତ୍ସା ପାଇଁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତ ଥିବା ବ୍ୟକ୍ତିଙ୍କ ଚିକିତ୍ସା ବାବଦକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ତାଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।