୨୦୨୦ରେ ଗେହଲଟ ସରକାରଙ୍କୁ କିଏ ବଂଚାଇଥିଲେ? ବସୁନ୍ଧରା ରାଜେ ସିନ୍ଧିଆ ସାଜିଥିଲେ କି ସଙ୍କଟମୋଚକ

151

କନକ ବ୍ୟୁରୋ: ଏବେ ଏଭଳି କିଛି ପ୍ରଶ୍ନ ଭିତରେ ଗୁଡେଇ ତୁଡେଇ ହେଉଛି ରାଜସ୍ଥାନ ରାଜନୀତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଢୋଲପୁର ଜନସଭାରେ ଖୁଲମଖୁଲା ବସୁନ୍ଧରାଙ୍କୁ ନେଇ ଏମିତି କିଛି କଥା କହିବା ପରେ ଏବେ ରାଜ୍ୟରାଜନୀତିରେ ଭୁମିକମ୍ପ ସୃୃଷ୍ଟି ହୋଇଛି । ଏକ ଜନସଭାରେ ଗେହଲଟ କହିଥିଲେ ୨୦୨୦ ମସିହାରେ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ତାଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରିଥିଲେ । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ତାଙ୍କୁ ଏହି ବିପଦରୁ ରକ୍ଷା କରିଥିଲେ ।

ରାଜନୈତିକ ପଣ୍ଡିତମାନଙ୍କ ମତରେ ୨୦୨୩ ନିର୍ବାଚନ ପାଇଁ ବିଜେପି ବସୁନ୍ଧରାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁନି । ହୁଏତ ଏହାର ଫାଇଦା ଉଠାଇ ଗେହଲଟ ଏଭଳି ବୟାନ ଦେଉଛନ୍ତି । ଯାହା ଦ୍ୱାରା ବିଜେପି ଓ ବସୁନ୍ଧରାଙ୍କ ମଧ୍ୟରେ ଫାଟ ଅଧିକ ବଢିପାରେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏହି ବୟାନ ଏବେ ତାଙ୍କୁ ନୂଆ ବିବାଦକୁ ଟାଣିଛି । ପୂର୍ବରୁ ରାଜସ୍ଥାନର ଦୁଇ ପ୍ରମୁଖ ରାଜନେତା ଅଶୋକ ଗେହଲଟ ଓ ସଚିନ ପାଇଲଟ ମଧ୍ୟରେ ଚାଲିଥିବା ବିବାଦକୁ ଅଧିକ ଇନ୍ଧନ ଯୋଗାଇଛି ଏହି ବୟାନ । ଅଶୋକ ଗେହଲଟଙ୍କ ଏହି ବୟାନ ବିଜେପି କ୍ୟାମ୍ପରେ ହଡକମ୍ପ ସୃଷ୍ଟି କରିବା ପରେ ଜବାବ ରଖି ବସୁନ୍ଧରା ରାଜେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ୨୦୨୩ ନିର୍ବାଚନ ପରାଜୟ ଭୟରେ ଅଶୋକ ଏଭଳି ବୟାନ ଦେଇଥିବା ସେ କହଛନ୍ତି । ସେପଟେ ଅଶୋକ ଗେହଲଟଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ । ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ନୁହେଁ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ନିଜର ନିଜ ମୁଖିଆ ଭାବନ୍ତି ବୋଲି ପାଇଲଟ କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ପାଇଁ କିଛି ମାସ ବାକି ଥିବାବେଳେ ଗେହଲଟ କଣ ପାଇଁ ୩ବର୍ଷ ପୁରୁଣା କଥା ଉଠାଇଲେ? ସେପଟେ ଚର୍ଚ୍ଚା ହେଉଛି ରାଜନୀତିର ଯାଦୁଗର ଅଶୋକ ଗେହଲଟ ଏଭଳି ବୟାନ ଦେଇ ଉଭୟ ସଚିନ ପାଇଲଟ ଓ ବସୁନ୍ଧରାଙ୍କ ଗୋଟେ ତୀରରେ ଦୁଇଟି ନିଶାନା ମାରି ଆଗାମୀ ନିର୍ବାଚନର ଭରପୂର ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି ।