ସାମ୍ନାକୁ ଆସିଲା ରତ୍ନଭଣ୍ଡାରର ଦୁର୍ବଳ କାନ୍ଥର ଖବର: ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

111

କନକ ବ୍ୟୁରୋ: ରତ୍ନଭଣ୍ଡାର କାନ୍ଥ ଦୁର୍ବଳ ହୋଇପଡିଥିବା ନେଇ ଏଏସଆଇର ଚିଠି କନକ ନ୍ୟୁଜ ହାତରେ ଲାଗିଛି । ୮ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଆପଣଙ୍କ ଟିଭି ସ୍କ୍ରିନରେ ଏଏସଆଇ ଚିଠିର ଏକ୍ସକ୍ଲୁସିଭ୍ ଚିତ୍ର । ଏଥିରେ ଲେଖାଯାଇଛି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ୍ ୨୬ତାରିଖରେ ଏକ ବୈଷୟିକ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ କରିବାକୁ ଯାଇଥିଲେ । ହେଲେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ନ ମିଳିବାରୁ କେବଳ ବାହାରୁ ସ୍ଥିତିର ଅନୁଧ୍ୟାନ କରିଥିଲେ । କମିଟି ଅନୁଭବ କରିଥିଲେ, କେତେକ ସ୍ଥାନରେ କାନ୍ଥର ପ୍ଲାଷ୍ଟର ଦୁର୍ବଳ ହୋଇଯାଇଛି । ବାହାରୁ କାନ୍ଥରେ ଠକ୍୍ ଠକ୍ କରିଲେ ଫମ୍ପା ଥିବା ଜଣାପଡୁଛି । ତେଣୁ କାନ୍ଥର ସ୍ଥିତି କିଭଳି ଅଛି ତାହା ଭିତରୁ ଅନୁଧ୍ୟାନ କରିଲେ ହିଁ ଜଣାପଡିବ । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଭିତର ରତ୍ନଭଣ୍ଡାରକୁ ଏଏସଆଇ ଟିମ୍ ଯାଇ ଅନୁଧ୍ୟାନ କରିବାକୁ ଅନୁମତି ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି ଉଠୁଛି । ଆଗାମୀ ୨୭ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି କରିବା ପାଇଁ ପୁଣି ଥରେ ଦାବି ଜୋର ଧରିଛି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ଏବଂ ଏଠାରେ ଥିବା ସ୍ୱର୍ଣ୍ଣ ଆଭୂଷଣକୁ ନେଇ ସାଧାରଣରେ ସନ୍ଦେହ ଥିବାରୁ ସରକାର ରତ୍ନଭଣ୍ଡାର ଖୋଲିଦେବା ଉଚିତ । ପୁରୀର ବୁଦ୍ଧିଜୀବି ଓ ପରିଚାଳନା କମିଟି ସଦସ୍ୟ ମଧ୍ୟ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ପ୍ରତି ୩ବର୍ଷରେ ଥରେ ଭିତର ରତ୍ନଭଣ୍ଡାର ଖୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାଗହଣାକୁ ଗଣତି କରିବାର ନିୟମ ରହିଛି । ହେଲେ ଗତ ୩୭ବର୍ଷ ଧରି ଏହାକୁ ଖୋଲାଯାଇନାହିଁ । ଶେଷଥର ପାଇଁ ୧୯୮୫ରେନ୍ତ୍ଭଣ୍ଡାର ଖୋଲାଯାଇଥିଲା । ଏହା ପୂର୍ବରୁ ୧୯୮୨ ଓ ୧୯୭୮ରେ ରତ୍ନଭଣ୍ଡାର ଖୋଲି ସୁନାଗହଣାର ଗଣତି କରାଯାଇଥିଲା, ଯାହା ରେକର୍ଡଭୁକ୍ତ ହୋଇ ରହିଛି । ଶ୍ରୀଜିଉଙ୍କ ବିଭିନ୍ନ ବେଶ ପାଇଁ ନିୟମିତ ଭାବେ ବ୍ୟବହାର ହେଉଥିବା ଗହଣା କେବଳ ବାହାର ରତ୍ନଭଣ୍ଡାରରେ ରହିଛି । କୁହାଯାଉଛିି, ଭିତର ରତ୍ନଭଣ୍ଡାର ଖୋଲା ନ ଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ ହୋଇପାରୁନାହିଁ ।