କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

177

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ । କରୋନାର ଏହି ନୂଆ ଭାରିଆଂଟରେ ଏପର୍ଯ୍ୟନ୍ତ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଂଟା ଭିତରେ ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ କରୋନା କଡ଼ ଲେଉଟାଉଥିବା କୁହାଯାଉଛି । ବଡ଼ କଥା ହେଉଛି, କରୋନାର ହଟ୍ସ୍ପଟ୍ ପାଲଟିଛି କେରଳ । ଯେଉଁଠାରେ ଗତ ୨୪ ଘଂଟାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୫୮ ମାମଲା ମଧ୍ୟରୁ କେବଳ କେରଳରେ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ-
ଜେଏନ୍.୧ ଭାରିଆଂଟ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬୯ରେ ପହଂଚିଛି
ଦେଶରେ ଦିନକରେ ୬ ଜଣଙ୍କ କରୋନଜନିତ ମୃତ୍ୟୁ
କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୧
୨୪ ଘଂଟାରେ କେରଳରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ
ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ
କର୍ଣ୍ଣାଟକରେ ୨, ପଞ୍ଜାବରେ ଜଣେ ଆକ୍ରାନ୍ତ ମୃତ

ସେପଟେ ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି । ଉତର ପ୍ରଦେଶ, ବିହାର, ମହାରାଷ୍ଟ୍ର ସମେତ କିଛି ରାଜ୍ୟର ବୋର୍ଡଗୁଡ଼ିକ ସିବିଏସ୍ଇ, ସିଆଇଏସ୍ସିଇର ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିସାରିଛନ୍ତି । ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିନ୍ତୁ କରୋନାର ଲେଉଟାଣି ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଟେନସନ୍ ବଢ଼ାଇ ଦେଇଛି । ଯଦିଓ ସ୍ଥିତି ସେତେ ଗୁରୁତ୍ୱର ନୁହେଁ, କିନ୍ତୁ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

ଜେଏନ.୧ ଭାରିଆଂଟ ପାଇଁ କେତେ ପ୍ରଭାବଶାଳୀ ଭ୍ୟାକସିନ୍?
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ, ନୂଆ ଭାରିଆଂଟ ଜେଏନ.୧ ସେତେଟା ଗୁରୁତ୍ୱର ନୁହେଁ
– ନୂଆ ଭାରିଆଂଟରେ ଅଧିକାଂଶ ମାମଲା ଫ୍ଲୁ’ ସହିତ ସମାନ
– ବର୍ତ୍ତମାନର କୋଭିଡ୍ ଟିକା ଜେଏନ.୧କୁ ରୋକିବାରେ ଫଳପ୍ରଦ ହେବ
– ଯେହେତୁ ଜେଏନ.୧ ଭାରିଆଂଟ ଓମିକ୍ରନର ସବ-ଭାରିଆଂଟ, ତେଣୁ ବର୍ତ୍ତମାନର ଟିକା ଏହାର ପ୍ରଭାବକୁ ହ୍ରାସ କରିପାରିବ
– ଟିକାକରଣ ଦ୍ୱାରା ମୃତ୍ୟୁ ମାମଲାକୁ ନିୟନ୍ତ୍ରଣ କରାଯାଇପାରିବ
– ଭାରତ ବାୟୋଟେକ୍ ଦ୍ୱାରା ତିଆରି ଭ୍ୟାକସିନ୍ ସବୁ ଭାରିଆଂଟ ବିରୋଧରେ ପ୍ରଭାବଶାଳୀ ହେବ
– ଯେଉଁମାନେ ପୂର୍ବରୁ ଟିକା ନେଇସାରିଛନ୍ତି, ସେମାନଙ୍କ ଆଉଥରେ ଟିକା ନେବାର ଆବଶ୍ୟକ ନାହିଁ
– ଆବଶ୍ୟକ ସ୍ଥଳେ କିଛି ରୋଗୀ ଆଉଏକ ଟିକା ନେଇପାରିବେ
– ତେବେ ଏଥିପାଇଁ ବିଶେଷଜ୍ଞଙ୍କ ଅନୁମତି ଦରକାର

ଡବ୍ଲ୍ୟୁଏଚଓର କହିବା ଅନୁସାରେ, ନୂଆ ଭାରିଆଂଟ ରୋଗୀଙ୍କୁ ବର୍ତମାନ ହସ୍ପିଟାଲରେ ଭର୍ତି କରାଯିବାର ଆବଶ୍ୟକତା ନାହିଁ । କିନ୍ତୁ ସତର୍କ ରହିବା ନିହାତି ଜରୁରୀ ବୋଲି କୁହାଯାଇଛି ।