ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା!

141

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିପାରେ ମୋଦୀ-ପ୍ରିୟଙ୍କା ଟକ୍କର । ଅର୍ଥାତ୍ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଛିଡ଼ା ହେବେ କି ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ବଡ଼ ପ୍ରସ୍ତାବ ଦେଇଛନ୍ତି । ୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଲଢ଼ିବା ପାଇଁ ଦିଦି ପସ୍ତାବ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ପ୍ରଥମେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ଚେହେରା । ଆଉ ଏବେ ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଲଢ଼ାଇବା ପାଇଁ ପ୍ରସ୍ତାବ ଦେବା ପରେ ରାଜନୀତି ସରଗରମ ହୋଇଛି ।

ମମତାଙ୍କ କହିବା କଥା ହେଲା ୨୦୨୪ ନିର୍ବାଚନରେ କଂଗ୍ରେସ ଓ ଇଣ୍ଡିଆ ମେଂଟ, ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବାରେ ସକ୍ଷମ ହେବ । ଆଉ ବାରଣାସୀରେ ମୋଦୀଙ୍କୁ ଟକ୍କର ଦେବାରେ ପ୍ରିୟଙ୍କା ବଡ଼ ଦାବିଦାର ହେବେ ।

ମମତାଙ୍କ ଏହି ପ୍ରସ୍ତାବ ପରେ ରାଜନୈତିକ ବିଶେଷଜ୍ଞ ଏହାକୁ କଂଗ୍ରେସର ଟ୍ରମ୍ପ କାର୍ଡ ବୋଲି କହୁଛନ୍ତି । ବିଜେପିର ଗଢ଼ କୁହାଯାଉଥିବା ବାରଣାସୀରେ କଂଗ୍ରେସର ପ୍ରଦର୍ଶନ ଅତୀତରେ ନୈରାଶ୍ୟଜନକ ରହିଆସିଛି । ଏପରି ସ୍ଥିତିରେ ଉତରପ୍ରଦେଶ କିମ୍ବା ବାରଣାସୀରେ କଂଗ୍ରେସର ସ୍ଥିତିକୁ ସୁଧାରିବାରେ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ଭୂମିକା ବହନ କରିପାରନ୍ତି । ଉତରପ୍ରଦେଶ କଂଗ୍ରେସର ନେତାମାନେ ମଧ୍ୟ ପ୍ରିୟଙ୍କାଙ୍କୁ ୨୦୨୪ ନିର୍ବାଚନରେ ଲଢ଼ାଇବା ପାଇଁ ପ୍ରସ୍ତାବ ଦେଇସାରିଛନ୍ତି । କେବଳ ପ୍ରିୟଙ୍କା ନୁହଁନ୍ତି, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ୟୁପିର ମଇଦାନରେ ଓହ୍ଲାଇବା ପାଇଁ ବିଚାର କରାଯାଉଛି । ଆଉ ଏହା ପଛରେ କଂଗ୍ରେସର ସ୍ୱତନ୍ତ୍ର ରଣନୀତି ଥିବା କୁହାଯାଉଛି ।

ଉତରପ୍ରଦେଶରେ ପ୍ରିୟଙ୍କାଙ୍କ ରେକର୍ଡ ବହୁତ ଖରାପ ରହିଛି । ଗତ ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ ବୋଲି ଦାବି ଉଠିଥିଲା । କିନ୍ତୁ ନାମାଙ୍କନ ଦିନ ଅଜୟ ରାୟଙ୍କୁ ସାମ୍ନାକୁ ଆଣିଥିଲା । ଆଉ ନିର୍ବାଚନରେ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା କଂଗ୍ରେସ ।

ବାରଣାସୀରେ ମୋଦୀ ଜିତିବା ପରଠାରୁ ସେଠାରେ ବିଜେପିର ଦବଦବା ବୃଦ୍ଧି ପାଇଛି । ବିଭିନ୍ନ କଲ୍ୟାଣକାରୀ ଯୋଜନା ସାଙ୍ଗକୁ, ବିକାଶମୂଳକ କାମ ବିଜେପିକୁ ଆହୁରି ମଜଭୁତ କରିଛି । ଆଉ ୨୦୨୪ରେ ମଧ୍ୟ ମୋଦୀ ସେହି ଆସନରୁ ପୁଣିଥରେ ଲଢ଼ିବେ ବୋଲି କୁହାଯାଉଛି ।

ବାରଣାସୀରେ ବିଜେପିର ଦବଦବା
ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନରେ ବିଜେପିର ରହିଛି ଦବଦବା
୧୯୯୧ ମସିହାରୁ ୮ଥର ବାରଣାସୀ ଲୋକସଭା ନିର୍ବାଚନ ହୋଇଛି
ସେଥିରୁ ୭ଥର ବିଜେପି ବାଜିମାତ୍ କରିଥିବା ବେଳେ ଥରେ ଜିତିଛି କଂଗ୍ରେସ
୨୦୦୪ରେ କଂଗ୍ରେସ ପ୍ରାର୍ଥୀ ରାଜେଶ କୁମାର ମିଶ୍ର ବାରଣାସୀ ଲୋକସଭା ଆସନ ଜିତିଥିଲେ
୧୯୯୧ରେ ଶିରୀଶଚନ୍ଦ୍ର ଦିକ୍ଷୀତ, ୧୯୯୬ରୁ ୧୯୯୯ ଯାଏଁ ଶଙ୍କର ପ୍ରସାଦ ଜୈସୱାଲ ବିଜୟୀ ହୋଇଥିଲେ
୨୦୦୯ରେ ମୁରଲୀ ମନୋହର ଯୋଶୀ ବିଜୟୀ ହୋଇଥିଲେ
୨୦୧୪ ଓ ୨୦୧୯ରେ ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ଜିତିଥିଲେ

ପ୍ରଶ୍ନ ଉଠୁଛି, କଂଗ୍ରେସକୁ ନେଇ ମମତା ବାନାର୍ଜୀଙ୍କ ମନରେ କ’ଣ ରହିଛି? କୁହାଯାଉଛି, ଏହା ମାଧ୍ୟମରେ ମମତା, ଗାନ୍ଧୀ ପରିବାରର ରାଜନୈତିକ ଆଧିପତ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି । ଯାହାଫଳରେ ସେ ନିର୍ବାଚନ ଜିତିଲେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଠାରୁ ନିଜର ଦାବିକୁ ଅଧିକ ମଜଭୁତ କରିପାରିବେ ।