ଟଙ୍କିକିଆ ଚାଉଳରେ ଲାଗିଲା ରାଜନୀତିର ନୂଆ ରଙ୍ଗ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ମାଗଣା ଚାଉଳ ଦେଉଛନ୍ତି ମୋଦୀ। 

447

କନକ ବ୍ୟୁରୋ: ଟଙ୍କିକିଆ ଚାଉଳ ମାଗଣା ହେବା ପରେ, ଆଉ ମାଗଣା ଚାଉଳ ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିବା ପରେ, ବଦଳି ଯାଇଛି ଚାଉଳ ରାଜନୀତି । ବର୍ଷ ବର୍ଷ ଧରି ରାଜ୍ୟ ସରକାର ଚାଉଳ ଦେଉଥିବା ନେଇ ଲୋକଙ୍କ ଭିତରେ ଥିବା ଧାରଣା ବଦଳାଇବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ଏକାଥରକେ ଦୁଇ କେନ୍ଦ୍ରମନ୍ତ୍ରୀ ମାଗଣା ଚାଉଳ ମୋଦୀଙ୍କର ବୋଲି ଦାବି କରିଛନ୍ତି ।

ମାଗଣା ଚାଉଳ ବଣ୍ଟା ଘୋଷଣା ପରେ, ରାଜନୀତି କୁଆଡେ ଯିବ ଚର୍ଚ୍ଚା ଭିତରେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଣିକି ଆଉ ଚାଉଳକୁ ନେଇ ଶ୍ରେୟ ନେଇପାରିବେନି ରାଜ୍ୟ । ମୋଦୀ ସରକାର ଦେଶରେ ୮୧କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ମାସକୁ ୫କେଜି ଚାଉଳ ଦେବା ପାଇଁ ନିଷ୍ପତି ନେଇଛି । ଏଥିରେ ଓଡ଼ିଶାର ୩କୋଟି ୨୬ ଲକ୍ଷ ଲୋକ ଉପକୃତ ହେବେ । ପୂର୍ବରୁ ଏହି ହିତାଧିକାରୀ କିଲୋ ପିଛା ୧ଟଙ୍କାରେ ଚାଉଳ କିଣୁଥିଲେ । କିଲେ ଚାଉଳରେ ଦୁଇ ଟଙ୍କା ଦେଉଥିଲେ ରାଜ୍ୟ ସରକାର । ହେଲେ, ରାଜ୍ୟ ସରକାରଙ୍କ ୨ଟଙ୍କାର ଯୋଗଦାନକୁ ମୋଦୀ ଶେଷ କରିଦେଇଥିବାରୁ, ଏଣିକି ଆଉ ଶ୍ରେୟ ନେଇପାରିବନି  ।

ମୋଦୀ ସରକାର କେମିତି ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି, ତାର ହିସାବ ଦେଇଛନ୍ତିି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ୩କୋଟି ୨୫ ଲକ୍ଷ ଲୋକଙ୍କୁ ମୋଦୀ ଦେବେ ମାଗଣା ଚାଉଳ  । ଏଥିପାଇଁ କେନ୍ଦ୍ର ଦେଉଛି ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ । ବର୍ତମାନ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି । ଏଥିପାଇଁ ମାସିକ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮ହଜାର ୪ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର । ତେଣୁ ମୋଦୀ ଦେଉଥିବା ଚାଉଳକୁ ଗଡ଼ବଡ଼ ନକରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

୨୦୦୮ରୁ ୨ଟଙ୍କିଆ ଓ ୨୦୧୩ରୁ ଟଙ୍କାଙ୍କିଆ ଚାଉଳ ବାଣ୍ଟି ଏକ ବଡ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ନବୀନ ପଟ୍ଟନାୟକ । ଟଙ୍କିକିଆ ଚାଉଳରେ କେନ୍ଦ୍ରର ଭାଗ ଅଧିକ ଥିଲେ ବି ମାତ୍ର ୨ଟଙ୍କା ଦେଇ ସବୁ ଶ୍ରେୟ ନେଉଥିଲେ  । କେନ୍ଦ୍ର ସରକାର ଏନେଇ ବାରମ୍ବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇପାରିନଥିଲେ । ଲୋକେ ଧରି ନେଇଥିଲେ ଟଙ୍କିକିଆ ଚାଉଳ ଦେଉଛନ୍ତି ନବୀନ । କିନ୍ତୁ ମାଗଣାରେ ଚାଉଳ ଦେବାକୁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ନରେନ୍ଦ୍ର ମୋଦୀ । ହେଲେ, ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ ଓ ବିଜେପି ନେତାଙ୍କ ଦାବିକୁ ଲୋକେ କେତେ ବୁଝି ପାରୁଛନ୍ତି ତାହା ବିରାଟ ପ୍ରଶ୍ନବାଚୀ । କାରଣ ମୋଦୀଙ୍କ ଚାଉଳ ହେଲେ ବି ବଣ୍ଟନ ଦାୟିତ୍ୱରେ ରହିବ ବିଜେଡି । ତେଣୁ ପ୍ରଶ୍ନ ଉଠୁଛି, ମୋଦୀ ସରକାରଙ୍କ ଗୋଟି ଚାଳନାର ପ୍ରଭାବ ଓଡିଶା ଭୋଟରଙ୍କୁ ପ୍ରଭାବିତ କରିବ କି? ୨୦୨୪ରେ ଏହାର ରାଜନୈତିକ ପ୍ରଭାବ ରହିବ କି?