ଦେଶ ପାଳିଲା ୭୬ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ।

62

କନକ ବ୍ୟୁରୋ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ନୂଆ ସଂକଳ୍ପ ସହ ନୂଆ ଦିଗରେ ଆଗକୁ ବଢିବା ସମୟ ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ନୂଆ ନାରା ଯୋଡିଛନ୍ତି । ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତିର ଐତିହାସିକ ଅବସରରେ ୨୦୪୭ ପାଇଁ ଭାରତର ରୂପରେଖ ଦେଶବାସୀଙ୍କ ଆଗରେ ରଖିଛନ୍ତି । ୨୦୪୭ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ତେଣୁ ଆଗାମୀ ୨୫ ବର୍ଷରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସ୍ୱପ୍ନକୁ ପୂରଣ କରିବା ପାଇଁ ୫ଟି ସଂକଳ୍ପ ନେଇଛନ୍ତି ପ୍ରଧାନମନ୍ତ୍ରୀ ।
– ବିକଶିତ ଭାରତ
ଅର୍ଥାତ୍ ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା
– ୧୦୦% ପରାଧୀନ ମାନସିକତାରୁ ମୁକ୍ତି
ଯେକୌଣସି ଉପାୟର ପରାଧୀନ ମାନସିକତାରୁ ମୁକ୍ତି ପାଇବାକୁ ହେବ
– ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ
ଅର୍ଥାତ ଦେଶର ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା
– ଏକତା ଓ ଏକଜୁଟତା
ଦେଶର ୧୩୦ କୋଟି ନାଗରିକଙ୍କ ମଧ୍ୟରେ ବିବିଧତା ମଧ୍ୟରେ ଏକତା ଓ ଏକଜୁଟତା ଦେଖାଇବା
– ନାଗରିକଙ୍କ କର୍ତ୍ତବ୍ୟ ପାଳନ
ନାଗରିକଙ୍କ କର୍ତବ୍ୟ ବିକାଶର ରାସ୍ତା ତିଆରି କରିଥାଏ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।
ଆଗାମୀ ୨୫ ବର୍ଷ ପାଇଁ ୫ଟି ସଂକଳ୍ପ ସହ ନିଜର ଶକ୍ତି ଓ ସାମର୍ଥ୍ୟା ନେଇ ଆଗକୁ ବଢିଲେ ନିଶ୍ଚିତ ଲ କ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ୨୫ବର୍ଷରେ ଏହି ୫ଟି ସଙ୍କଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ୨୦୪୭ରେ ଯେବେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତି ପାଳନ କରୁଥିବ । ସେହି ସମୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ଦାୟିତ୍ୱ କାନେ୍ଧଇ ଆମକୁ ଚାଲିବାକୁ ହେବ । ମୋଦୀ କହିଛନ୍ତି ଆମେ ଜୀବରେ ଶିବ, ନର ଦେହରେ ନାରାୟଣ ଦେଖିଥାଉଁ । ଏଥିସହ ଲାଲକିଲ୍ଲାରୁ ନାରୀ ଶକ୍ତିର ସମର୍ଥନ କରିବା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବିକାଶ ପାଇଁ ମହିଳାଙ୍କୁ ସମ୍ମାନ ଦେବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।