ବର୍ଷା ଛାଡିଲା, ଦୁର୍ଦ୍ଦଶା ବଢିଲା: ବଢୁଛି ପାଣି, ଲୋକେ ଏବେ ବି ଜଳବନ୍ଦୀ

115

କନକ ବ୍ୟୁରୋ: ବର୍ଷା କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ସବୁଆଡେ ଖାଲି ପାଣି ଆଉ ପାଣି । ଲୋକେ ଜଳବନ୍ଦୀରେ ରହିଛନ୍ତି । ବର୍ଷା ପାଣି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯୋଗାଯୋଗ ବିଚ୍ଛିନ୍ନ ହାଇପଡ଼ିଛି । ତା ସହିତ ମହାନଦୀ ଗୟଳବାଙ୍କ ନିକଟରେ ୨ ଫୁଟର ଘାଇ ସୃଷ୍ଟି ହୋଇଛି । ହୁଳୁହୁଳା ନାଳ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

ଆକାଶମାର୍ଗରୁ ଏହି ଚିତ୍ର ଦର୍ଶାଉଛି ପାଣି ଭିତରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ସମ୍ପୁର୍ଣ୍ଣ ବୁଡିଯାଇଛି । ଏହାପରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି । ବନ୍ୟା ପାଣିରେ ମା’ ଭଟାରିକାଙ୍କ ମନ୍ଦିର ବୁଡ଼ିବା ପରେ ଲୋକଙ୍କୁ ମନ୍ଦିର ନିକଟକୁ ଯିବାକୁ ବାରଣ କରିଛି ପ୍ରଶାସନ । । ବନ୍ୟା ପାଣି ବଢୁଥିବା ବେଳେ ଗତକାଲିଠାରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ କାଣୀ ନଦୀ ବନ୍ଧରେ ଏକ ବଡ ଘାଇ ସୃଷ୍ଟି ହୋଇଛି । ନଦୀରେ ଜଳସ୍ତର ବଢିବାରୁ ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ପ୍ରାୟ ୬୦ ଫୁଟର ଏକ ଘାଇ ହୋଇଛି । ଆଉ ସେହି ଘାଇ ଦେଇ ବନ୍ୟା ପାଣି ଗାଁ ଗଣ୍ଡାରେ ପ୍ରବେଶ କରୁଛି । ଯଥାଶ୍ରୀଘ ଘାଇର ମରାମତି କରାନଗଲେ ଚାଷ-ବାସ ନଷ୍ଟ ହେବାର ଆଶଙ୍କା ରହିଛି ।

ଲଗାଣ ବର୍ଷାରେ ହୀରାକୁଦ ବନ୍ୟାଜଳ ଆସିବା ପରେ ସଙ୍ଗୀନ ହୋଇଛି ଅନୁଗୁଳ ଟିକରପଡ଼ା ଅଂଚଳର ବନ୍ୟାସ୍ଥିତି । ପାଣି ଭିତରେ ବୁଡ଼ି ରହିଛି ରାସ୍ତା ଡ଼ଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବ।। ପାଇଁ ବାଧ୍ୟ ହେଉଛନ୍ତି ଲୋକ । ଟିକରପଡ଼ା ଅଂଚଳର ୪ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି । ରାସ୍ତା ଉପରେ ଚାଲିଛି ବନ୍ୟାଜଳ । ହୀରାକୁଦର ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ।

ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରୁ ଗତକାଲି ବିଳମ୍ବିତ ରାତିରୁ ବନ୍ୟାଜଳ ଗଡ଼ିବା ଆରମ୍ଭ ହୋଇଛି । ଆଜି ଏହାର ପରିମାଣ ଆହୁରି ବଢିଥିବା ବେଳେ ବାଲିପାଟଣା ଓ ବାଲିଅନ୍ତା ବ୍ଳକର ୭ରୁ ଅଧିକ ପଂଚାୟତର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନେକ ଗାଁରେ ପାଣି ମାଡ଼ିବାର ସମ୍ଭାବନା ରହିଛି । ପ୍ରତିବର୍ଷ ଧନୁଆ ନଇରେ ବନ୍ୟା ପାଣି ଆସି ଉପକୂଳବର୍ତି ଅଂଚଳର ୩୦ରୁ ଅଧିକ ଗାଁ ଜଳମଗ୍ନ ହେଉଛି ।

ବିବାହରେ ବାଧକ ସାଜିଲା ବନ୍ୟା । ବାଙ୍କୀ କଇଁମୁଣ୍ଡି ଗାଁରେ ପଶିଗଲା ବନ୍ୟା ପାଣି । ଓଡ୍ରାଫ୍ ବୋଟ୍ରେ କନ୍ୟାକୁ ମୁଖ୍ୟ ରାସ୍ତାକୁ ଆଣିଲେ ଉଦ୍ଧାରକାରୀ ଟିମ୍ । ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ କଇଁମୁଣ୍ଡି ଗାଁର ଜଣେ ଝିଅର ଆଜି ବାହାଘର ଥିଲା । ବନ୍ୟା ପାଣିରେ ଗାଁ ଜଳମଗ୍ନ ହେବାରୁ ଓଡ୍ରାଫ ବୋଟ୍ରେ ତାଙ୍କୁ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଥିଲା ।