ଗଞ୍ଜାମ ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ । କାହିଁକି ଦୁଇ ପୁଲିସ ଅଧିକାରୀଙ୍କ ସହ କଥା ହେବା ବେଳେ ଫୁଟିଲା ଗୁଳି?

240

କନକ ବ୍ୟୁରୋ: ଭଞ୍ଜନଗର ଅଞ୍ଚଳର ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଆଇଆଇସି ଦେବକୁମାର ଗମାଙ୍ଗଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ସନ୍ଦେହ ଦେଖାଦେଇଛି । ମୃତ ଆଇଆଇସିଙ୍କ ମାଆ କହିଛନ୍ତି, ଦୁଇ ଜଣ ପୁଲିସ ଅଧିକାରୀ ଗମାଙ୍ଗଙ୍କ ସହ କଥା ହେଉଥିବା ବେଳେ ସେ ପାଖକୁ ଚାଲି ଆସିଥିଲେ, କିନ୍ତୁ ତାଙ୍କୁ ଦୂରକୁ ଚାଲିଯିବାକୁ କହିଥିଲେ ସେହି ପୁଲିସ ଅଧିକାରୀ । ଏହାପରେ ବନ୍ଧୁକର ଶବ୍ଦ ଶୁଭିଥିଲା ଏବଂ ଆଇଆଇସି ଟଳି ପଡିଥିଲେ ।

୨୫ ମାର୍ଚ୍ଚ ତାରିଖ ଦିନ ୧୨ଟା ୪୦ ମିନିଟ୍ ସମୟରେ ଗାଙ୍ଗପୁର ଥାନାରେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସହ କଣ ଆଲୋଚନା ପାଇଁ ଥାନାରେ ପହଞ୍ଚିଥିଲେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଞ୍ଜନଗର ଥାନା ଆଇଆଇସି ଧିରେଶ କୁମାର ଦାସ । କୁହାଯାଉଛି, ୨ ସପ୍ତାହ ଆଗରୁ ଘଟିଥିବା କେନ୍ଦୁପଦର ମର୍ଡର କେସ ଉପରେ ଏହି ଆଲୋଚନା ଚାଲିଥିଲା ।

କୁହାଯାଉଛି, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଞ୍ଜନଗର ଥାନା ଆଇଆଇସି ଧିରେଶ କୁମାର ଦାସ ଖୁବ ବଡ ପାଟିରେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ଗାଳି କରୁଥାନ୍ତି । ଆଉ ସେମାନେ ବେଶି କଣ କହିଛନ୍ତି, ତାହା ସ୍ପଷ୍ଟ ହେଉନାହିଁ, କିନ୍ତୁ ଏହି ସମୟରେ ଗମାଙ୍ଗଙ୍କ ମାଆ ପାଟି ଶୁଣି ଚାଲିଆସିଲେ । ସେଇ ଥାନା ପରିସର ଭିତରେ ଗମାଙ୍ଗ କ୍ୱାର୍ଟର ରହିଛି । ଏସଡିପିଓ ଓ ଆଇଆଇସି ଧିରେଶ ଦାସ, ତାଙ୍କ ମାଆଙ୍କୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଲେ । ଆଉ ଏହି ସମୟରେ ଗୁଳିର ଶବ୍ଦ ଶୁଭିଲା, ଏବଂ ତାଙ୍କ ମାଆ ଦୌଡି ଆସିଲେ । ସେତେବେଳେ ଗୁଳି ମାଡରେ ତଳେ ଟଳିପଡିଥାନ୍ତି ଗମାଙ୍ଗ ।

କୁହାଯାଉଛି, କୁଆଡେ ଆଇଆଇସି ଦେବ୍ କୁମାର ଗମାଙ୍ଗ ନିଜ ସର୍ଭିସ ରିଭଲବରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ଏସପି, ଆହୁରି କହିଛନ୍ତି, ସେ କିଛି ଦିନ ହେଲା ଦୁଃଶ୍ଚିନ୍ତାରେ ଥିଲେ । ଅର୍ଥାତ୍ ଏସପି କହିବା ପାଇଁ ଚାହୁଁଛନ୍ତି ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ।

  • ଗମାଙ୍ଗଙ୍କ ତଳି ପେଟରେ କେମିତି ବାଜିଲା ଗୁଳି?
  • ତଳି ପେଟରେ ନିଜେ ଗୁଳି କରି ଆତ୍ମହତ୍ୟା କଲେ ଗମାଙ୍ଗ?
  • କ’ଣ କରୁଥିଲେ ଏସଡିପିଓ ଓ ଭଞ୍ଜନଗର ଆଇଆଇସି?

ଗାଙ୍ଗପୁର ଥାନାର ଏହି ମୃତ୍ୟୁ କାହାଣୀ ସେତେ ସରଳ ନୁହେଁ, ଯେମିତି ଏ ପୁଲିସବାଲା କହୁଛନ୍ତି । ଏସଡିପିଓ ଓ ଆଇଆଇସି କଣ କଥା ହେଉଥିଲେ, କାହିଁକି ସେହି ସମୟରେ ତାଙ୍କ ମାଆଙ୍କୁ ସେଠାରୁ ହଟିଯିବାକୁ କହିଲେ, ଏବଂ ତା ପରେ ପରେ କାହିଁକି ଗୁଳି ଫୁଟିଲା ଏବଂ ଏସପି କେମିତି ତୁରନ୍ତ ଜାଣିଗଲେ ସେ ମାନସିକ ଦୁଃଶ୍ଚିନ୍ତାରେ ସେ ଥିଲେ, ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି । ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର, ନହେଲେ, ଗମାଙ୍ଗଙ୍କୁ ନ୍ୟାୟ ମିଳିବ ନାହିଁ ।