ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନରେ ଭୋଟିଂ । ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ।

118

କନକ ବ୍ୟୁରୋ: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସନ୍ଧ୍ୟା ସାଢ଼େ ୬ଟା ଯାଏ ମତଦାନ କରିପାରିବେ ଭୋଟର । ୯୪ ସଂସଦୀୟ କ୍ଷେତ୍ରରେ ନିଜ ମନ ପସନ୍ଦର ନେତା ବାଛିବେ ୧୭ କୋଟି ୨୪ ଲକ୍ଷ ମତଦାତା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ହୋଇଛି । ୪ ହଜାର ୩୦୩ ପ୍ଲାଇଂ ସ୍କ୍ୱାଡ୍ ଓ ୧୯୮୭ ଭିଡିଓ ସର୍ଭିଲାନ୍ସ ଟିମ୍ ମୁତୟନ ହୋଇଛନ୍ତି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଥିବାରୁ ମତଦାନ କେନ୍ଦ୍ରରେ ପାନୀୟ ଜଳର ବନ୍ଦୋବସ୍ତ କରାଯାଇଛି । ଲୋକଙ୍କ ଖରାରୁ ମୁକ୍ତି ଦେବାକୁ ସେଡିଂ ବ୍ୟବସ୍ଥା ମଧ୍ୟ ହୋଇଛି ।

ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କୁ ନେବା ଆଣିବା କରିବା ପାଇଁ ବାଇକ୍ ସର୍ଭିସର ବନ୍ଦୋବସ୍ତ କରିଛନ୍ତି ନିର୍ବାଚନ କମିସନ । ତେବେ ଗୋଟିଏ ଆସନରେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି । ସୁରତ ଲୋକସଭା ଆସନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ପରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେପଟେ ଆଜି ଅନେକ ହେଭିୱେଟ ନେତାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ । ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।