ପଶୁ ହେଲେ ବି ଛୁଆ ପାଇଁ କମ ହୁଏନି ମା’ର ମମତା । ଛୁଆର ମୃତଦେହ ପାଖରେ ୫ ଘଣ୍ଟା ଜଗିରହିଲା ମା’ ହାତୀ ।

140

କନକ ବ୍ୟୁରୋ: ମାଆର ମମତା । ଆଖି ଆଗରେ ପଡ଼ି ରହିଛି ଛୁଆର ମୃତଦେହ । ଛୁଆ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନି ମା’ । କାଳେ ଛୁଆ ଉଠିଯିବ ତା ପାଖ ଛାଡ଼ି ବି ଯାଉନି । ଛୁଆ ପାଖେପାଖେ ମାଆଟି ଘୁରି ବୁଲିଥିବା ବେଳେ ଛୁଆ କିନ୍ତୁ ଆଉ ଉଠିବାର ନାଁ ଧରୁନି । ଛୁଆକୁ ହରାଇ ମା ହାତି ସତେ ଯେମିତି ପାଗଳ ହୋଇଯାଇଛି ।

୫ ଘଣ୍ଟା ଧରି ପାଞ୍ଚ ବର୍ଷର ଛୁଆ ପାଖରେ ଜଗି ବସିଥିଲା ମା’ ହାତୀ । ଜଙ୍ଗଲି ଜନ୍ତୁ ହେଲେ ମଧ୍ୟ ମାଆର ହୃଦୟ, ନିଜ ସନ୍ତାନକୁ ଛାଡି ଚାଲିଯାଇପାରୁ ନାହିଁ । ସୁନ୍ଦରଗଡ ଜିଲ୍ଲା କୋଇଡା ଫରେଷ୍ଟ ରେଞ୍ଜ କୁସୁମୁଡି ଗାଁ ନିକଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ତେବେ ଗାଁ ଲୋକ ଏହି ଘଟଣା ନେଇ ଜାଣିବା ପରେ ବନବିଭାଗକୁ ଖବର ଦେଇଥିଲେ ।’

ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତ ହାତୀ ଛୁଆକୁ ଯାଞ୍ଚ କରିବା ପରେ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ପରେ ହାତୀର ମୃତଦେହକୁ ସେଠାରେ ପୋତି ଦିଆଯାଇଥିଲା । କିଛି ଦିନ ପୂର୍ବରୁ ଛୁଆ ଦନ୍ତାହାତୀ ଅସୁସ୍ଥ ହୋଇପଡିଥିଲା । ବନ ବିଭାଗ ପ୍ରାଥମିକ ଚିକିତ୍ସା କରି ହାତୀ ଛୁଆକୁ ପୁଣି ଜଙ୍ଗଲରେ ଛାଡି ଦେଇ ଦାୟିତ୍ୱ ସାରିଦେଇଥିଲା । ଯେଉଁଥିପାଇଁ ହାତୀ ଛୁଆର ମୃତ୍ୟୁ ହେଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରାଥମିକ ଚିକିତ୍ସା ପରେ ହାତୀ ଛୁଆର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖି ବନବିଭାଗ ପୁଣି ଚିକିତ୍ସା କରିଥିଲେ ହୁଏତ ବଞ୍ଚିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।