ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ, ମଡେଲ କୋଡ ଅଫ୍ କଣ୍ଡକ୍ଟ ପ୍ରସ୍ତୁତ

242

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ । ପ୍ରସ୍ତୁତ ହେଲା ମଡେଲ କୋଡ ଅଫ କଣ୍ଡକ୍ଟ । ନିର୍ବାଚନକୁ ଅବାଧ ଓ ସ୍ୱଛ କରିବା ପାଇଁ ଆର୍ଟିକିଲ ୨୪୩-କେରେ ଦିଆଯାଇଥିବା ସାମ୍ବିଧାନିକ କ୍ଷମତାର ବ୍ୟବହାର କରି ଏହି କୋଡ ଅଫ୍ କଣ୍ଡକ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଲାଗୁ ହେବ କୋଡ ଅଫ୍ କଣ୍ଡକ୍ଟ ଏବଂ ଗଣତି ଶେଷ ପର୍ଯ୍ୟନ୍ତ ଏହା ବଳବତର ରହିବ । ବିଜ୍ଞପ୍ତି ପରେ କୋଡ ଅଫ୍ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଲାଗୁ ପାଇଁ ପ୍ରସ୍ତୁତ ରହିବାକୁ ପଞ୍ଚାୟତ ରାଜ ବିଭାଗ, ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି କମିଶନ । ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି କମିଶନ । ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି । ଜାଣନ୍ତୁ ଆଦର୍ଶ ଆଚରଣ ବିଧିରେ କଣ ରହିଛି ..

– କୌଣସି ଦଳ କିମ୍ବା ପ୍ରାର୍ଥୀ ଗୋଷ୍ଠୀ, ଓ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟିକାରୀ ବୟାନ ଦେବେ ନାହିଁ
– କୌଣସି ପ୍ରାର୍ଥୀ କିମ୍ବା ଦଳ ହିଂସାତ୍ମକ କାର୍ଯ୍ୟର ଆଶ୍ରୟ ନେବେ ନାହିଁ କି ଉତ୍ସାହିତ କରିବେ ନାହିଁ
-କୌଣସି ଧାର୍ମିକ ସ୍ଥାନ , ସରକାରୀ ଭବନ ବା କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ପ୍ରଚାର/ ସଭା/ କର୍ମୀ ସମ୍ମିଳନୀ କରାଯାଇପାରିବ ନାହିଁ
– କୌଣସି ପ୍ରାର୍ଥୀଙ୍କୁ ଭୟଭୀତ କରାଯାଇ ପାରିବ ନାହିଁ
– ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ ।
– କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ଭୋଟରଙ୍କୁ କୌଣସି ପ୍ରକାରର ପ୍ରଲୋଭନ ଦେଇପାରିବେ ନାହିଁ
– କୌଣସି ଦଳ ବା ପ୍ରାର୍ଥୀଙ୍କ ନିର୍ବାଚନୀ ସଭା ଚାଲିଥିବାବେଳେ ବିରୋଧୀ ରାଜନୈତିକ ଦଳ ବା ସେମାନଙ୍କ ସମର୍ଥକ ବାଧା ସୃଷ୍ଟି କରିପାରିବେ ନାହିଁ
– ସର୍ବସାଧାରଣ ସ୍ଥାନରେ ନିର୍ବାଚନ ସଭା ବା ସର୍ବସାଧାରଣ ରାସ୍ତାରେ ଶୋଭାଯାତ୍ରା କରିବା ପାଇଁ ଉପଯୁକ୍ତ କର୍ତୁପକ୍ଷଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡିବ
– ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ସମ୍ପୃକ୍ତ କର୍ତୁପକ୍ଷଙ୍କଠାରୁ ଆଗୁଆ ମଞ୍ଜୁରୀ ଆଣିବାକୁ ପଡିବ ।
– ରାତି ୮ଟାରୁ ସକାଳ ୭ଟା ଭିତରେ ଡାକବାଜି ଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ ।