ବ୍ୟବସାୟର ମାଧ୍ୟମ ପାଲଟିଛି ମୁଢ଼ି ଓ ଚାଉଳ ଭଜା: ଭୋଗରାଇ ବ୍ଲକ ଜାମ୍ବଡ଼ା ଅଂଚଳର ୨୨ ଜଣ ମହିଳା ହେଉଛନ୍ତି ଲାଭବାନ

104

କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ପାଲଟିଛି ମୁଢ଼ି ଓ ଚାଉଳ ଭଜା । ବାଲେଶ୍ୱର ଅଂଚଳରେ ମୁଢ଼ି ଏକ ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ମହିଳା ମାନେ ଏହାକୁ ସମ୍ପୂଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ କରୁଛନ୍ତି । ନିଜେ ମୁଢ଼ି ଭାଜି ଏହାକୁ ପ୍ୟାକେଜିଂ କରୁଛନ୍ତି । ସ୍ୱାଦିଷ୍ଟ ଚାଉଳ ଭଜା ତିଆରି କରି ତାକୁ ପ୍ୟାକେଜିଂ କରି ମିଶନ ଶକ୍ତି ବଜାର ସହିତ ସ୍ଥାନୀୟ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି । ଏଥିରେ ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜାମ୍ବଡ଼ା ଅଂଚଳର ୨୨ ଜଣ ମହିଳା । ୨୦୧୧ ମସିହାରେ ଗାଁର ୩୨ ଜଣ ମହିଳା ମିଶି ସିଏଲଏଫ ଗଠନ କରିଥିଲେ । ପରବର୍ତି ସମୟରେ ରୋଜଗାର କରିବା ଲକ୍ଷ୍ୟ ନେଇ ୨୦ ଜଣ ମହିଳା ମିଶି କାଳିମାତା ଉତ୍ପାଦିକା ଗୋଷ୍ଠୀ ଗଠନ କଲେ । ଏହା ପରେ ୨୦୨୩ରେ ହଳଦୀ ଗୁଣ୍ଡ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ । ଏହା ପରେ ମୁଢ଼ି ଓ ଚାଉଳ ଭଜା ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି ।

ହାତ ତିଆରି ମୁଢ଼ି ଓ ଘରେ ପ୍ରସ୍ତୁତ ହଳଦୀ ଗୁଣ୍ଡ କିଣିବା ପାଇଁ ଗ୍ରାହକଙ୍କ ଚାହିଦା ବଢ଼ୁଛି । ମାସକୁ ୨ରୁ ୩ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ମହିଳା । ତେବେ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ସବୁ ସାମଗ୍ରୀ ବେଶ ସ୍ୱାଦିଷ୍ଟ ଓ ଅପମିଶ୍ରଣ ହେଉନଥିବାରୁ ଲୋକଙ୍କ ନିକଟରେ ଆଦୃତି ଲାଭ କରୁଛି । ମହିଳା ମାନେ ସେମାନଙ୍କ ଦ୍ୱରା ପ୍ରସ୍ତୁତ ସାମଗ୍ରୀକୁ ବାଲୋଶ୍ୱରରେ ବିକ୍ରି କରୁଛନ୍ତି । ବ୍ଲକ ପରସରରେ ଏକ ମିଶନ ଶକ୍ତି ବଜାର ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି ।

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ଅନେକ ସୁବିଧା ସୁଯୋଗ ଯୋଗାଇଦିଆଯାଉଛି । ବିନା ସୁଧରେ ରୁଣ ଯୋଗାଇଦିଆଯାଉଛି । ଯାହା ଦ୍ୱାରା ମହିଳା ଏଭଳି କିଛି କାମ ହାତକୁ ନେଇ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ଯେବେଠାରୁ ଏହି କାମ ମହିଳା ମାନେ ହାତକୁ ନେଇଛନ୍ତି ସେବେଠାରୁ ଆଉ ନିଜ ଖର୍ଚ୍ଚ ପାଇଁ ଏମାନଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନଜସ୍ୱ ଉଦ୍ୟମରେ ଏଭଳି କିଛି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।