ଦୁଇ ବନ୍ଧୁଙ୍କ ପନିର ବ୍ୟବସାୟ । ଇଞ୍ଜିନିୟରିଂ ଚାକିରି ଛାଡ଼ି ନିଜ ଗାଁରେ ପନିର କାରଖାନା କରିଛନ୍ତି ଜଳେଶ୍ୱରର ସଞ୍ଜୟ ଏବଂ କେଶବ

508

କନକ ବ୍ୟୁରୋ: ଦୁଇ ବନ୍ଧୁଙ୍କ ପନିର ବ୍ୟବସାୟ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟି ଅନ୍ତର୍ଗତ ନହଞ୍ଜରା ଗାଁର ସଞ୍ଜୟ କୁମାର ବ୍ରହ୍ମ ଏବଂ ନୂଆ ବଜାରର କେଶବ କୁମାର ଦେ ଦୁଇ ବନ୍ଧୁ । ଭୁବନେଶ୍ୱରରେ ଇଞ୍ଜିନିୟରିଂ ଏବଂ ଏମବିଏ କରିବା ପରେ ଉଭୟ ଇଞ୍ଜିନିୟର ଭାବରେ ଚାକିରି କରିଥିଲେ । ନିଜ ଅଞ୍ଚଳରେ କିଛି କରିବା ଓ ନିଜ ଅଞ୍ଚଳର ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ପନିର ବ୍ୟବସାୟ ଆରମ୍ଭ କଲେ । ପନିର ନିଜ ଅଞ୍ଚଳରେ ଆବଶ୍ୟକ ଥିବାବେଳେ ଲୋକଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ତେଣୁ ନିଜ ଅଞ୍ଚଳରେ ପନିର ତିଆରି କାରଖାନା ବସାଇବା ପାଇଁ ମନସ୍ତ କରିଥିଲେ ଦୁଇ ସାଙ୍ଗ ।

ଚାକିରି ଛାଡି ଗତ ବର୍ଷ ଜୁନ ମାସରେ ନିଜ ଗାଁ ନହଞ୍ଜରାରେ ଏକ ପନିର ତିଆରି କାରଖାନା ବସାଇବା ସହିତ ୨୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କାରଖାନା ମାଧ୍ୟମରେ ଚାକିରିି ଠାରୁ ଅଧିକ ଅର୍ଥ ରୋଜଗାର କରିବା ସହିତ କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଭଲ ଦରମା ପାଉଛନ୍ତି । ନିଜ ଘର ପାଖରେ କାମ ପାଇ ବହୁତ ଖୁସି ଥିବା କହଛନ୍ତି କର୍ମଚାରୀ ।

ପନିର ତିଆରି ପାଇଁ ସ୍ଥାନୀୟ ଅଞ୍ଚଳରୁ କ୍ଷୀର ସଂଗ୍ରହ କରିବା ସହିତ ମିଲ୍କ ପାଉଡର ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ରାଜସ୍ଥାନରୁ ଆଣିଥାଆନ୍ତି । ପନିର ପ୍ରସ୍ତୁତ ପରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଓଡିଶା, ଛାତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି । ସମସ୍ତ କାମ ମେସିନ ଦ୍ୱାରା କରାଯାଉଥିବାରୁ କର୍ମଚାରୀ ମାନଙ୍କୁ ବେଶୀ ପରିଶ୍ରମ କରିବାକୁ ପଡୁନାହିଁ । କାରଖାନାରୁ ଦୈନିକ ୨ରୁ ୩ କୁଇଣ୍ଟାଲ ପନିର ଉତ୍ପାଦନ ହେଉଥିବା ବେଳେ ବେଶ ଭଲ ରୋଜଗାର ହେଉଛି । ବଜାରରେ ପନିରର ଭଲ ଚାହିଦା ରହିଥିବାରୁ ଅଧିକ ପରିମାଣରେ ଅର୍ଡର ଆସୁଛି । ତେବେ ପାଠପଢା ପରେ ଚାକିରିକୁ ଗୁରୁତ୍ୱ ନଦେଇ ନିଜସ୍ୱ ଉଦ୍ୟମରେ କଛି କରିବା ପାଇଁ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିଥାଏ । ଯାହା ଏହି ଦୁଇ ବନ୍ଧୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।