କାରିଗରଙ୍କୁ ରୋଜଗାର ଦେଉଛି ହସ୍ତଶିଳ୍ପ ପ୍ରଦର୍ଶନୀ: ଗ୍ରାହକଙ୍କୁ ଆକୃଷ୍ଟ କରୁଛି କାରିଗରଙ୍କ ହାତ ତିଆରି ସାମଗ୍ରୀ

97

କନକ ବ୍ୟୁରୋ: ହସ୍ତଶୀଳ୍ପ ପ୍ରଦର୍ଶନୀ ଦେଉଛି କାରିଗରଙ୍କୁ ରୋଜଗାର । କାରିଗରଙ୍କ ହାତ ତିଆରି ସାମଗ୍ରୀର ଚାହିଦା ବଢିବା ସହ ଲାଗିଛି ଲୋକଙ୍କ ଗହଳି ।ରାଜ୍ୟର ଚଉଦଟି ଜିଲ୍ଳାରୁ ଭାଗନେଇଛନ୍ତି ଅଶୀ ଜଣ ହସ୍ତଶିଳ୍ପ କାରିଗର । ଯାଜପୁର ଜିଲ୍ଳା ଛତିଆଠାରେ ରାଜଦୋଳ ମେଲଣ କମିଟି ଓ ଜିଲ୍ଳା ହସ୍ତଶୀଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା କାରିଗରଙ୍କୁ ଦେଖାଇଛି ରୋଜଗାରର ବାଟ ।

ବଡଚଣା ବ୍ଲକ ଛତିଆଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ହସ୍ତଶୀଳ୍ପ ପ୍ରଦର୍ଶନୀର ଦୃଶ୍ୟ । ରାଜ୍ୟର ଚଉଦଟି ଜିଲ୍ଳାରୁ ହସ୍ତଶୀଳ୍ପ କାରିଗରମାନେ ଭାଗନେଇ ହାତ ତିଆରି ସାମଗ୍ରୀର ମନଲୋଭା ପସରା ମେଲାଇଛନ୍ତି । କାରିଗରଙ୍କ ହାତ ତିଆରି କାଇଁଚ, ସବାଇ ଘାସ, ଝୋଟ, ମାଟିରେ ତିଆରି ବିଭିନ୍ନ ମୂର୍ତି, ଚାନ୍ଦୁଆ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀର ଚାହିଦା ବଢୁଛି । କାରିଗରମାନେ ମଧ୍ୟ ନିଜର ବ୍ୟବସାୟ କରି ଦୁଇପଇସା ଲାଭ ପାଇଁ ସୁଯୋଗ ପାଇଛନ୍ତି । ନିଜ ଅଂଚଳର କାରିଗରଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କ ହାତ ତିଆରି ସାମଗ୍ରୀ ଗୁଡିକ ହାତପାଆନ୍ତାରେ ମିଳୁଥିବାରୁ ଲୋକେମାନେ ଆଗ୍ରହର ସହ କିଣି ନେଉଛନ୍ତି ।

ରାଜ୍ୟ ସରକାର ହସ୍ତଶୀଳ୍ପ କାରିଗରମାନଙ୍କର ଅର୍ଥନୈତିକ ପ୍ରଗତି ପାଇଁ ଜିଲ୍ଳା ହସ୍ତଶୀଳ୍ପ ବିଭାଗ ଜରିଆରେ ପ୍ରତିବର୍ଷ ଏହି ପ୍ରଦର୍ଶନୀର ଆୟୋଜନ କରୁଛନ୍ତି । ଚଳିତ ଥର ପୁରୀ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି ୧୪ଟି ଜିଲ୍ଳାରୁ ହସ୍ତଶୀଳ୍ପ କାରିଗରମାନେ ଯୋଗଦେଇ ପାଖାପାଖି ୮୦ଟି ଷ୍ଟଲ ଖୋଲି ସେମାନଙ୍କର ହାତ ତିଆରି ସାମଗ୍ରୀର ପ୍ରଦର୍ଶନୀ କରିଛନ୍ତି ।

ଛତିଆଠାରେ ଆୟୋଜିତ ଏହି ହସ୍ତଶୀଳ୍ପ ପ୍ରଦର୍ଶନୀ ଜିଲ୍ଳା ଓ ରାଜ୍ୟ କାରିଗରମାନଙ୍କୁ ରୋଜଗାର ଦେବା ସହିତ ଆତ୍ମନିଭରଶୀଳ ହେବାପାଇଁ ଖୋରାକ ଯୋଗାଇଛି ।