ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର । ଶିବସେନାର ୨୦ରୁ ଅଧିକ ବିଧାୟକ ଗୁଜୁରାଟରେ ଏକାଠି ହେବା ପରେ ଜୋର ଧରିଲା ଚର୍ଚ୍ଚା ।

162

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତି ହଙ୍ଗାମା ସାରା ଦେଶରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାନ ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟରେ ଶାସକ ଦଳର ପ୍ରମୁଖ ନେତା ଏକନାଥ ସିନ୍ଦେ ଏବଂ ଆଉ କିଛି ବିଧାୟକ ଏବେ ସୁରତରେ ଅଛନ୍ତି । ଆଉ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଅନ୍ୟପଟେ ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିବସେନା ଚିନ୍ତା କରୁଥିବା କୁହାଯାଉଛି ।

  • ଗୁଜରାଟ ହୋଟେଲରେ ଶିବସେନା ବିଧାୟକ
  • ଅସନ୍ତୁଷ୍ଟ ନା ବିଦ୍ରୋହ ବଢିଲା ଉଦ୍ଧବଙ୍କ ଚିନ୍ତା

ଗୁଜରାଟ ସୁରତର ଏକ ହୋଟେଲ ଶିବସେନାର ଏକନାଥ ସିନ୍ଦେଙ୍କ ଭଳି ପ୍ରମୁଖ ନେତାଙ୍କ ସହ କିଛି ବିଧାୟକ ରହିଛନ୍ତି । ଏହି ବିଧାୟକଙ୍କୁ ଭେଟିବାକୁ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କିଛି ବିଶ୍ୱସ୍ତ ନେତା ଆସିଛନ୍ତି । କିନ୍ତୁ ତାଙ୍କୁ ଗୁଜରାଟ ପୋଲିସ ଦେଖା କରିବାକୁ ସୁଯୋଗ ଦେଇନଥିବା ଜଣାପଡିଛି । ଏହାପୂର୍ବରୁ କିନ୍ତୁ ଏକନାଥ ସିନ୍ଦେଙ୍କୁ ବିଧାୟକ ଗୋଷ୍ଠୀର ନେତା ପଦରୁ ଉଦ୍ଧବ ହଟାଇ ଦେଇଛନ୍ତି । ଅନ୍ୟପଟେ ଟୁଇଟ୍ କରି ସିନ୍ଦେ କହିଛନ୍ତି ବାଲା ସାହେବ ଠାକରେଙ୍କ ପାଖରୁ ଅନେକ ଶିକ୍ଷା ମିଳିଛି । କ୍ଷମତା ପାଇଁ ଏପରି କିଛି ନିଷ୍ପତି ନେବେ ନାହିଁ ।

ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ବିଜେପି ଏକାକୀ ୫ଟି ଆସନରେ ବିଜୟୀ ହେବା ପରେ ଏପରି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ମଧ୍ୟ ଫଡନାଭିସଙ୍କ ଗୋଟି ଆଗରେ ଫେଲ୍ ମାରିଥିଲା ମେଣ୍ଟ ସରକାର ।

  • ମହାରାଷ୍ଟ୍ରରେ ‘ଅପସେନ ଲୋଟସ’
  • ଭାଙ୍ଗିବ କି ମହାବିକାଶ ଅଘାଡି ସରକାର?

ଶିବସେନା ବିଧାୟକ ବିଜେପି ଶାସିତ ରାଜ୍ୟ ଗୁଜରାଟର ହୋଟେଲରେ ଅଟକିବା ଏହି ହଟଚମଟ ପଛରେ ବିଜେପିର ଅପରେସନ ଲୋଟସ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦିଲ୍ଲୀରେ ଡେରା ପକାଇଥିବା ବେଳେ ବିଜେପି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ବସିଥିବା ଜଣାପଡିିଛି । ନଜର ପକାନ୍ତୁ ମହାରାଷ୍ଟ୍ରରେ ସରକାର ଗଢିବାକୁ କଣ ରହିଛି ସଂଖ୍ୟାର ଖେଳ ।

  • ବିଧାନସଭାରେ ବିଧାୟକ ସଂଖ୍ୟା ୨୮୮
  • ମହା ବିକାଶ ଅଘାଡି : ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ବିଧାୟକ
  • ବିରୋଧୀ : ବିଜେପି ୧୦୬
  • ଅନ୍ୟାନ୍ୟ ୨୮
  • ସରକାର ଗଢିବାକୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ

ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଦ୍ରୋହୀ ଏକନାଥଙ୍କ ସହିତ ହୋଟେଲରେ ୨୫ରୁ ୩୦ ବିଧାୟକ ରହିଥିବା ସୂଚନା ରହିଛି । କଂଗ୍ରେସର ୧୦ ବିଧାୟକଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରୁନଥିବା ଜଣାପଡିଛି । ଏପରି ସ୍ଥିତିରେ ବିଦ୍ରୋହୀଙ୍କ ଉପରେ ନଜର ରଖିଛି ବିଜେପି । ହେଲେ ଏପରି ପ୍ରସଙ୍ଗରେ କିଛି ଖୋଲାଖୋଲି ମତ ରଖିନି ବିଜେପି । ମହାରାଷ୍ଟ୍ର ବିଜେପି ସଭାପତି ଅତି ଚତୁରତାର ସହିତ ଅପରେସନ ଲୋଟସ ଅଭିଯୋଗକୁ ଖାରଜ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ପର୍ଯ୍ୟବେକ୍ଷକ ଭାବେ କମଲନାଥଙ୍କୁ ଦାୟିତ୍ୱ ଦେଇଛି ।

ପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଥିଲା । କିନ୍ତୁ ଏଠାରେ ବିରୋଧୀ ଏକ ହୋଇ ସରକାର ଗଢିଥିଲେ । ପରେ କିନ୍ତୁ ଅପରେସନ ଲୋଟସ ଜରିଆରେ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ସରକାର ପଲଟିଥିଲା । ଆଉ ଏବେ ମହାରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ରହିଛି । ତେଣୁ ଏଠାରେ ମଧ୍ୟ ସରକାର ବଦଳିପାରେ ବୋଲି ଚର୍ଚ୍ଚା ହେଉଛି ।