ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ, ମହିଳା ପୋଲିସକର୍ମୀଙ୍କ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ

124

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିବା ନେଇ କଂଗ୍ରେସର ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ସାରା ଦେଶରେ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଇଡି ଅଫିସ ସାମ୍ନାରେ କଂଗ୍ରେସ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ମହିଳା ପୋଲିସ ତରଫରୁ କଂଗ୍ରେସର ମହିଳାକର୍ମୀଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଥିବା ବେଳେ ଦିଲ୍ଲୀ ମହିଳା କଂଗ୍ରେସ ସଭାପତି ନେଟ୍ଟା ଡିସୌଜା ମହିଳା ପୋଲିସଙ୍କ ଉପରକୁ ଛେପ ପକାଇଥିଲେ ।

 

କହିରଖୁ କି ନ୍ୟାସନାଲ ହେରାଲ୍ଡ ମାମଲାରେ ଦୀର୍ଘ ୫ ଦିନ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୁଣି ଚଳିତମାସ ୨୩ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବ ବୋଲି ନୋଟିସ କରିଛି । ହେଲେ କଂଗ୍ରେସ ଏହାକୁ ବିରୋଧ କରୁଛି । ଏନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ସେପଟେ ସାରା ଦେଶରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କଂଗ୍ରେସ ନେତାଙ୍କ କହିବା କଥା କି ଜାତୀୟ ଯାଂଚ ଏଜେନ୍ସିଗୁଡିକ ଏବେ ବିଜେପି ପାଇଁ କାମ କରୁଛି । ବିଜେପି କଥାରେ ପରିଚାଳିତ ହୋଇ ବିଜେପି ବିରୋଧରେ ଜିଏ ସ୍ୱରଉର୍ତ୍ତୋଳନ କରୁଛି ତା ଘରେ ଚଢାଉ କରାଯାଉଛି କିମ୍ବା ମିଛ ମାମଲାରେ ସେମାନଙ୍କୁ ଫଶାଇ ହଇରାଣ କରାଯାଉଛି ।