ଭଙ୍ଗା କୁଡ଼ିଆରେ ବିତୁଛି ୩ ପ୍ରାଣୀଙ୍କ ଜୀବନ: ବାସଗୃହ ଓ ରାସନ କାର୍ଡ଼ ପାଇଁ ଆକୁଳ ନିବେଦନ

83

କନକ ବ୍ୟୁରୋ: ଭଙ୍ଗା କୁଡ଼ିଆରେ ବିତୁଛି ୩ ପ୍ରାଣୀଙ୍କ ଜୀବନ । ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ଭଙ୍ଗା ଦଦରା କୁଡ଼ିଆରେ ପଡ଼ିରହିଛନ୍ତି ଅସହାୟ ସୁମିତ୍ରଙ୍କ ପରିବାର । ସୁମିତ୍ରା ସହ ଅଛନ୍ତି ତାଙ୍କର ରୋଗିଣା ଝିଅ ଓ ତାଙ୍କ ନାତି । ସୁମିତ୍ରା ନିଜେ ଚାଲିବାକୁ ମଧ୍ୟ ଅକ୍ଷମ । ଗୋଡ଼ ହାତ ଚଳୁନଥିବାରୁ ହ୍ୱିଲ ଚେୟାରରେ ନିଜର ସମସ୍ତ କାମ ସେ କରନ୍ତି । ସରକାର ବାସହୀନଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସୁମିତ୍ରାଙ୍କ ପାଇଁ ଘର ଖଣ୍ଡିଏ ଯେମିତି ସାତ ପାଲଟିଛି ।

ତେଣୁ ଘର ଖଣ୍ଡିଏ ପାଇଁ ନିବେଦନ କରିଛନ୍ତି ସୁମିତ୍ରା । ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଭଙ୍ଗା କୁଡ଼ିଆରେ ପଲିଥିନ୍ ହିଁ ତାଙ୍କ ପାଇଁ ସାହାରା ପାଲଟିଛି । ସୁମିତ୍ରାଙ୍କୁ ମିଳୁଥିବା ଭତା ଟଙ୍କାରେ ପରିବାର ଚଳୁଥିବା ବେଳେ ରାସନ କାର୍ଡ଼ ନଥିବାରୁ ଚାଉଳ ମଧ୍ୟ ମିଳୁନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ସାହି ପଡ଼ିସାଙ୍କ ସହଯୋଗରେ ଚଳୁଛନ୍ତି ସୁମିତ୍ରା । ତେଣୁ ସରକାରଙ୍କ ପକ୍ଷରୁ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ସୁମିତ୍ରା ।