ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୋଲିସ: ଥାନାରେ ରଖି ଦିବ୍ୟାଙ୍ଗଙ୍କୁ ଦେଲା ମାନସିକ ନର୍ଯାତନା

95

କନକ ବ୍ୟୁରୋ: ଜଣଙ୍କ ନାମରେ ୱାରେଂଟି, ଆଉ ଜଣଙ୍କୁ ଉଠାଇନେଲା ପୋଲିସ । ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ବୃଦ୍ଧ କାର୍ତିକ ଚନ୍ଦ୍ର ଜେନା । ଅଭିଯୁକ୍ତ ନହୋଇ ବି ବଳପୂର୍ବକ ଘରୁ ପୋଲିସ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ୨୯ ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଂଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ଆଣିଥିିଲା ପୋଲିସ । ପରେ କାଗଜ ପତ୍ର ଯାଂଚ ସମୟରେ ସେ ପ୍ରକୃତ ଅଭିଯୁକ୍ତ ନୁହଁନ୍ତି ବୋଲି ଜଣାପଡ଼ିଥିଲା । ଏହି ଘଟଣାରେ ବୃଦ୍ଧ ଦିବ୍ୟାଙ୍ଗଙ୍କ ସମ୍ମାନ ହାନି ହୋଇଥିବା ଦର୍ଶାଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏସପିଙ୍କ ପକ୍ଷରୁ କୌଣସି ନ୍ୟାୟ ପାଇନଥିବାରୁ ଆଗାମୀ ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଂଚ ସହଯୋଗରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନି ଦେଇଛନ୍ତି । ଭଦ୍ରକ ଜିଲ୍ଲା ପ୍ରଧାନପଡ଼ା ଗାଁରେ ଘଟିଛି ଏହି ଘଟଣା । ୧୯୯୩ ମସିହାରେ ଏକ ପୁରୁଣା କେଶରେ ଦିବ୍ୟାଙ୍ଗ କାର୍ତିକ ଜେନାଙ୍କୁ ତାଙ୍କ ଘରୁ ବଳପୂର୍ବକ ଉଠାଇ ନେଇଥିଲା ପୋଲିସ । କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଂଚ ବେଳେ ସେ ଅଭିଯୁକ୍ତ ନୁହେଁ ବୋଲି ଜଣାପଡ଼ିଥିଲା । ପ୍ରକୃତ ଅଭିଯୁକ୍ତ ଥିଲେ ଚାଇଁପୁର ଗାଁର କାର୍ତିକ ଜେନା । ସମାନ ନାଁ ଥିବାରୁ ପ୍ରକୃତ ଦୋଷୀକୁ ଧରିବାରେ ପୋଲିସ ସକ୍ଷମ ହୋଇନଥିଲା । ଏହା ପରେ ଆଇଆଇସିଙ୍କ ହସ୍ତକ୍ଷେପରେ ବୃଦ୍ଧଙ୍କୁ ଛାଡ଼ି ଦିଆଯାଇଥିଲା ।