ପ୍ରକାଶ ପାଇଲା ତିନି ଦଳର ଷ୍ଟାର ପ୍ରଚାରକ ତାଲିକା । ବିଜେଡି ତାଲିକାରୁ ବାଦ ପଡ଼ିଲେ ସମୀର ଦାଶ । ହେଲେ କେଭି ସିଂଦେଓଙ୍କ ଉପରେ ଭରସା କଲା ବିଜେପି

କଂଗ୍ରେସ ତାଲିକାରେ ନାହାନ୍ତି କଟକ ବାରବାଟୀ ବିଧାୟକ

186

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇପଡ଼ିଥିବା ବେଳେ ତିନି ପ୍ରମୁଖ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ପ୍ରାୟ ସବୁ ବଡ଼ ନେତାଙ୍କୁ ସବୁ ଦଳ ପ୍ରଚାର ମୈଦାନକୁ ଆଣିବାକୁ ଚେଷ୍ଟା କରିଛନ୍ତି । ତେବେ କିଛି ପ୍ରମୁଖ ମୁହଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ମଧ୍ୟ ପଡ଼ିଛନ୍ତି । ବିଜେଡିର ୪୦ ଜଣିଆ ତାଲିକାରୁ ମନ୍ତ୍ରୀ ସମୀର ଦାଶ ବାଦ ପଡ଼ିଥିବା ବେଳେ କଂଗ୍ରେସ ତାଲିକାରେ ମୋକିମଙ୍କ ନାଁ ନାହିଁ ।

  • ଧାମନଗର ପାଇଁ ଷ୍ଟାର ପ୍ରଚାରକ ତାଲିକା
  • ବିଜେଡିରେ ସମୀର ଆଉଟ, ବିଜେପିରେ ସ୍ଥାନ ବଜାୟ ରଖିଲେ କେଭି

ଉପନିର୍ବାଚନ ପାଇଁ ଧାମନଗର ରାଜନୀତ ସରଗରମ ହୋଇଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡିର ୪୦ ଜଣିଆ ତାଲିକାରୁ ବାଦ ପଡିଛନ୍ତି ମନ୍ତ୍ରୀ ସମୀର ଦାଶ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସମୀର ବିବାଦ ଘେରକୁ ଆସିଛନ୍ତି । ତେଣୁ ତାଙ୍କୁ ବାଦ ଦିଆଯାଇଥିବା କୁହାଯାଉଛି । ସେପଟେ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ କିନ୍ତୁ ସ୍ଥାନ ବଜାୟ ରଖିଛନ୍ତି କନକ ବର୍ଦ୍ଧନ ସିଂହଦେଓ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ସମ୍ପର୍କକୁ ନେଇ ସେ ବିବାଦରେ ଫସିଛନ୍ତି

  • ବିଜେଡି ପଚାର ତାଲିକାରେ ଅଭିନେତା
  • ଅନୁଭବ ପୁଣି ବାଦ, ଅରିନ୍ଦମ କରିବେ ପ୍ରଚାର
  • ସଂଜୟ ଦାସବର୍ମାଙ୍କୁ ବି ଭରସା କଲାନି ବିଜେଡି

ବିଜେଡିର ୪୦ ଜଣିଆ ପ୍ରଚାର ତାଲିକାରେ କିଛି ଅଭିନେତାଙ୍କୁ ସ୍ଥାନ ମିଳିଛି । କିନ୍ତୁ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ନିରାଶ ହୋଇଛନ୍ତି । ପତ୍ନୀ ବର୍ଷାଙ୍କ ସହ ବିବାଦକୁ ଆସିବା ପରେ ତାଙ୍କୁ ଆଉ ସ୍ଥାନ ମିଳିନାହିଁ । ତାଙ୍କ ବଦଳରେ ଅରିନ୍ଦମ ରାୟଙ୍କୁ ଭରସା କରିଛି ଦଳ । ଅରିନ୍ଦମଙ୍କ ଛଡା କୁନା ତ୍ରିପାଠୀ ଓ ଆକାଶ ଦାସ ନାୟକ ବି ଧାମନଗରରେ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ସେପଟେ ଦୀର୍ଘଦିନ ଧରି ଷ୍ଟାର ପ୍ରଚାରକ ତାଲିକାରେ ରହୁଥିବା ସଂଜୟ ଦାସ ବର୍ମାଙ୍କୁ ଏଥର ଗୁରୁତ୍ୱ ଦେଇନି ଦଳ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବଦ ପଡିଥିଲେ ବ୍ରହ୍ମଗିରିର ଏହି ପୂର୍ବତନ ବିଧାୟକ ।

  • କଂଗ୍ରେସ ତାଲିକାରେ ମୋକିମଙ୍କ ନାଁ ନାହିଁ
  • ହେଲେ ପ୍ରଚାର କରିବେ କହିଲେ ବିଧାୟକ

ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ବିଧାୟକ ମହମ୍ମଦ ମୋକିମଙ୍କ ନାଁ କଂଗ୍ରେସ ଷ୍ଟାର ତାଲିକାରେ ନାହିଁ । ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହୁଛନ୍ତି । କାହିଁକି ମୋକିମ୍ଙ୍କୁ ତାଲିକାରେ ରଖାଯାଇ ନାହିଁ ସେନେଇ ପିସିସି ସଭାପତି କହିଛନ୍ତି, ବହୁତ ଗୁଡାଏ ଇସୁ ଅଛି, ଦଳର କଥା, ଯାହା ହାଇକମାଣ୍ଡ ନିର୍ଦ୍ଦେଶ ଦେବେ ତାହା ହେବ । ସେପଟେ ଏହାକୁ ନେଇ କଟକ ବିଧାୟକ କହିଛନ୍ତି, ଷ୍ଟାର ପ୍ରଚାରକ କଣ ମୁଁ ଜାଣିନି । ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ମୁଁ ନିଶ୍ଚିତ ଯିବି ।

୩ ଦଳର ଷ୍ଟାର ପ୍ରଚାର ତାଲିକା ଜାରି ହେବା ପରେ ପ୍ରଚାର ଏବେ ସରଗରମ ହେବାକୁ ଯାଉଛି । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ମନ୍ତ୍ରୀ ଅଛନ୍ତି । ଆଉ ବିଜେପି ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ।