ବଢିପାରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କ ଶକ୍ତି । ଜିନପିଙ୍ଗଙ୍କ ହାତରେ ଶାସନ ଡୋରି ଆସିଲେ ବଢିବ ଭାରତ ଚିନ୍ତା

197

କନକ ବ୍ୟୁରୋ : ବଢିବ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶକ୍ତି । ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ୍ । ରବିବାରଠୁ ରାଜଧାନୀ ବେଜିଂରେ ଆରମ୍ଭ ହେବ ଚିନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ହେବାକୁ ଥିବା ନିର୍ବାଚନ ଓ ଏହା ପାଇଁ ଜିନପିଙ୍ଗଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଛି କମ୍ୟୁନିଷ୍ଟ ପାର୍ଟି । ନିର୍ବାଚନ ପୂର୍ବରୁ ସୋମବାର ୨୦ତମ କଂଗ୍ରେସ ମହାଅଧିବେଶନ ବସିବ । ଯେଉଁଥିରେ ୨ହଜାର ୨୯୬ ନିର୍ବାଚିତ ପ୍ରତିନିଧି ବୈଠକରେ ସାମିଲ ହେବେ । ଏହି ସମ୍ମିଳନୀରେ ଚୀନର ନୂଆ ନେତମାନଙ୍କ ସର୍ମ୍ପକରେ ଘୋଷଣା କରାଯିବ । ଏକଥା ମଧ୍ୟ ଶୁଣିବାକୁ ମିଳୁଛି କି ନୂଆ ରାଷ୍ଟ୍ରପତି ଘୋଷଣା ହେବା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହେବ । ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣି ଥରେ ଚୀନର ରାଷ୍ଟ୍ରପତି ହେବା ଏକପ୍ରକାର ସ୍ଥିର ହୋଇସାରିଛି ।

ଯଦି ଏହା ହୁଏ ତେବେ କ୍ରମାଗତ ୩ଥର ପାଇଁ ଜିନପିଙ୍ଗଙ୍କ ହାତରେ ଚୀନର ଶାସନ ଡୋରୀ ରହିବ । ଚର୍ଚ୍ଚା ହେଉଛି କି ମହାସଚିବ ଓ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଦେଶର କ୍ଷମତା ଉପରେ ନିଜର ନିୟନ୍ତ୍ରଣ ଅଧିକ ମଜବୁତ ହେବ । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଚାଲିଛି । ଏହା ଭିତରେ ଜିନପିଙ୍ଗ ଯଦି ପୁଣି ଥରେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତ ପାଇଁ ଏହା ସତର୍କ ଘଟିଂ ହେବ । ସେପଟେ ରବିବାର ବସିବାକୁ ଥିବା ବୈଠକ ପାଇଁ ଚୀନର ରାଜଧାନୀ ବେଜିଂରେ ବଡ ଧରଣର ପ୍ରସ୍ତୁତି କରାଯାଇଛି । କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ କିଛି ସହରକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି । କୋଭିଡ ସମୟରେ ଚୀନ ସରକାର ଯେଉଁଭଳି ନୀତି ଆପଣାଇଥିଲେ ତାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆକ୍ରୋଶ ଏବେ ବି ରହିଛି । କେବଳ ସେତିକି ନୁହେଁ ଜିନପିଙ୍ଗ ସରକାରଙ୍କ ବିରୋଧରେ ଅସନ୍ତୋଷ ବାରମ୍ବାର ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାଷ୍ଟ୍ରପତି ପଦରୁ ଜିନପିଙ୍ଗଙ୍କୁ ହଟେଇବାକୁ ଦାବି ମଧ୍ୟ ହେଉଛି ।