ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ। 

229

କନକ ବ୍ୟୁରୋ :  ରାଜ୍ୟ ସରକାରଙ୍କୁ ଝଟକା ଦେଲେ ହାଇକୋର୍ଟ । ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ । ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସମ୍ପର୍କୀତ ତଥ୍ୟ ଦେବାକୁ ମନା କରିପାରିବ ନାହିଁ ବିଭାଗ । ୫ ବର୍ଷ ତଳେ ସୂଚନା ଅଧିକାର ଆଇନରୁ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବାକୁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ଜାରି କରିଥିଲେ, ଏହାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ କହିଛନ୍ତି ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ଛଡ଼ା ଅନ୍ୟ ସୂଚନା ଦେବ ଭିଜିଲାନ୍ସ । ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଏ ହେଉଛି ୨୦୧୬ ମସିହାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବିଜ୍ଞପ୍ତି । ଏଥିରେ କୁହାଯାଇଥିଲା ସାଧାରଣ ପ୍ରଶାସନର ଭିଜିଲାନ୍ସ ବିଭାଗ ଓ ଏହାର ଅନ୍ୟାନ୍ୟ ପ୍ରତିଷ୍ଠାନ,  ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ, ଅର୍ଥାତ ଆର୍ଟିଆଇରେ ଆବେଦନ କଲେ ଭିଜିଲାନ୍ସ ସମ୍ବଦ୍ଧୀୟ କୌଣସି ସୂଚନା ଦିଆଯିବ ନାହିଁ । ତେବେ ହାଇକୋର୍ଟ ଏହି ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି ।

ଭିଜିଲାନ୍ସକୁ ସୂଚନା ଅଧିକାର ଆଇନରୁ ବାଦ ଦେବା ପାଇଁ ୨୦୧୬ରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରି ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର, ସୁଧାଂଶୁ କୁମାର ନନ୍ଦ ଓ ପ୍ରଦୀପ କୁମାର ପ୍ରଧାନ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସେମାନଙ୍କ ଯୁକ୍ତି ଥିଲା –

ଆବେଦନକାରୀଙ୍କ ଯୁକ୍ତି

ଆରଟିଆଇରୁ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ବାଦ ଦେବା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅସାମ୍ବିଧାନିକ

ଏହା ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରୁଛି

ଦୁର୍ନୀତି ଓ ମାନବିକ ଅଧିକାର ଉଲଂଘନ ସଂପର୍କୀତ ସୂଚନା, ଆରଟିଆଇ ଧାରା ୨୪ (ଉପଧାରା ୪) ଅଧୀନରେ ଆସୁନାହିଁ

ତେବେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା – କେନ୍ଦ୍ର ସରକାରଙ୍କ ସିବିଆଇ ଭଳି ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ କାମ କରେ । ସିବିଆଇକୁ ସୂଚନା ଅଧିକାର ଆଇନ ପରିସରରୁ ବାଦ ଦିଆଯାଇଛି । ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ସିକିମ୍ ଆଦି ରାଜ୍ୟ ଭିଜିଲାନ୍ସକୁ ଆରଟିଆଇରୁ ବାଦ ନେଇ ବିଜ୍ଞପ୍ତି ଜାରିକରିଛନ୍ତି । ଭିଜିଲାନ୍ସ ବିଭାଗର ତଥ୍ୟ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଦିଆଗଲେ ସୁରକ୍ଷା ଓ ଜନସ୍ୱାର୍ଥ ସମ୍ପର୍କୀତ ସମସ୍ୟା ଉପୁଜିବ, ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଆଶଙ୍କା ମଧ୍ୟ ରହିଛି ।

ତେବେ ରାଜ୍ୟ ସରକାରଙ୍କ ଯୁକ୍ତି ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି –

ଭିଜିଲାନ୍ସ ବିଭାଗର ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସମ୍ପର୍କୀତ ତଥ୍ୟ ଦେବାକୁ ମନା କରିପାରିବେ ନାହିଁ ସରକାର

ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ଛଡ଼ା ଅନ୍ୟ ସମସ୍ତ ସୂଚନା ଦେବ ଭିଜିଲାନ୍ସ 

୪ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର

ଭିଜିଲାନ୍ସକୁ ଦୂରେଇ ରଖିବା ପାଇଁ ୨୦୧୬ରେ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ, ହାଇକୋର୍ଟଙ୍କ ରାୟ ଆସିବା ପରେ ଏହାକୁ ଝଟକା ଲାଗିଛି ।