ଇଟାଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଟିକାନରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟି ଇତିହାସ ରଚିବେ ନବୀନ।

141

କନକ ବ୍ୟୁରୋ : ଇଟାଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ରୋମସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ନବୀନ ପଟ୍ଟନାୟକ ସେଠାରେ ମତ ରଖିବେ । ସବୁଠାରୁ ବଡକଥା ହେଉଛି, ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ ।

ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ ନବୀନ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଙ୍କୁ ଫ୍ରାନସିସ୍ ସିଟିରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମାନୁଷ୍ଠାନ ହେଉଛି ଭାଟିକାନ ସହର ଓ ଏଠାରେ ରହୁଥିବା ପୋପ ଫ୍ରାନସିସ ଏମାନଙ୍କ ସର୍ବମାନ୍ୟ ଧର୍ମଗୁରୁ । ତେଣୁ ପୋପଙ୍କୁ ଭେଟି ଐତିହାସିକ ରେକର୍ଡ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ତାଙ୍କ ଭାବମୂର୍ତିକୁ ବିଶ୍ୱ ଦରବାରରେ ଆହୁରି ବ୍ୟାପକ କରିପାରିବ ।

ସାରାବିଶ୍ୱର ମୁସଲମାନଙ୍କ ପାଇଁ ମକ୍କା ଭଳି, ଖ୍ରୀଷ୍ଟିଆନଙ୍କ ପାଇଁ ଧର୍ମ ଓ ଉପାସନାର ସର୍ବୋଚ୍ଚ ପୀଠ ଭାଟିକାନ ସିଟି । ୪୯ ହେକ୍ଟର ବା ୧୨୧ ଏକର ପରିମିତ ଭାଟିକାନ ସହର । ଲୋକସଂଖ୍ୟା ମାତ୍ର ୪୫୩ । ଉଭୟ ଆୟତ୍ତନ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଛୋଟିଆ ସହର । ହେଲେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ କେନ୍ଦ୍ର । କାରଣ ଏଠାରେ ରୁହନ୍ତି ସର୍ବମାନ୍ୟ ଧର୍ମଗୁରୁ ପୋପ୍ । ପୂର୍ବରୁ ଏହା ଇଟାଲୀର ଏକ ଅଂଶ ଥିଲା । କିନ୍ତୁ ୧୯୨୯ ଲାଟେରାନ ଟ୍ରିଟି ବଳରେ ଏହା ସ୍ୱତନ୍ତ୍ରତା ପାଇଥିଲା । ଏହିଠାରେ ବସି ସମଗ୍ର ବିଶ୍ୱର ଖ୍ରୀଷ୍ଟିଆନମାନଙ୍କ ପାଇଁ ଧର୍ମୀୟ ନୀତି ନିୟମ ଓ ଶୃଙ୍ଖଳା ସ୍ଥିର କରନ୍ତି ପୋପ୍ ।

ଆଗାମୀ ୨୬ ତାରିଖ ଯାଏଁ ରୋମରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟିକାନରେ ପୋପଙ୍କୁ ଭେଟିବା ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପରିଚାଳନା ନିର୍ଦ୍ଦେଶକ ଡେଭିଡ ବେସଲିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ ।

ଓଡିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ମିଳିତ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ତେଣୁ ରୋମରେ ମୁଖ୍ୟମନ୍ତ୍ରୀ ଓଡିଶାର ବିପର୍ଯ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭରଶୀଳତାକୁ କମାଇପାରିଛି ସେନେଇ ଆଲୋକପାତ କରିବେ । ୟୁରୋପୀୟ ଦେଶରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟି ରାଜ୍ୟର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସହଯୋଗ ଲୋଡିବେ । ଫେରିବା ବାଟରେ ମିଡିଲ ଇଷ୍ଟ ଓ ଦୁବାଇରେ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।