ହସ୍ପିଟାଲରେ ରାହୁଲର ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ଦ୍ରୁତ ସୁଧାର। ମୋବାଇଲରୁ ଗୀତ ଶୁଣି ତାଳରେ ମୁଣ୍ଡ ହଲାଉଛି ରାହୁଲ। 

98

କନକ ବ୍ୟୁରୋ :  ରାହୁଲର ମୁହଁରେ ଚମକ ତାର ସ୍ୱାସ୍ଥ୍ୟବସ୍ଥାକୁ ସୂଚାଉଛି । ମୁମୁର୍ଷୁ ଅବସ୍ଥାରେ ବୋଲୱେଲରୁ ଉଦ୍ଧାର ହୋଇ ରାହୁଲ ବିଲାସପୁର ଆପୋଲୋ ହସ୍ପିଟାଲକୁ ଆସିବାର ୫ ଦିନ ବିତିଗଲାଣି । ଧିରେଧିରେ ତାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନିର୍ଦ୍ଦେଶରେ ରାହୁଲର ଚିକିତ୍ସା କରାଉଛି ଜିଲ୍ଲା ପ୍ରଶାସନ । ହସ୍ପିଟାଲରେ ତାକୁ ଭେଟିଛନ୍ତି ନିଜେ ବିଲାଶପୁର ଜିଲ୍ଲାପାଳ ଡକ୍ଟର ସାରାଂଶ ମିତର । ରାହୁଲର ସ୍ୱାସ୍ଥ୍ୟ ଏବେ ଦ୍ରୁତବେଗରେ ସୁଧୁରୁଛି । ଆପେ ବିଛଣାରୁ ଉଠିବା ସହିତ ପରିଜନଙ୍କୁ ଦେଖିଲେ ସ୍ମିତହସ ଦେଇ ସକାରାତ୍ମକ ପ୍ରତିକ୍ରିୟା ରଖୁଛି ରାହୁଲ । ତାକୁ ଚିକିତ୍ସା କରୁଥିବା ଡାକ୍ତର ଦାବି କରିଛନ୍ତି ଯେ, ରାହୁଲର ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥାକୁ ଦେଖିଲେ ସେ ଆଗାମୀ ସପ୍ତାହେ ଭିତରେ ସୁସ୍ଥ ହୋଇଯିବ ବୋଲି ଆଶା କରିଛନ୍ତି ।

ଆପୋଲୋ ହସ୍ପିଟାଲରେ ରାହୁଲକୁ ଭେଟିଛନ୍ତି ବିଳାସପୁର ଜିଲ୍ଲାପାଳ । ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପେଣ୍ଟିଂ ସମଗ୍ରୀ ଓ ପିଲାଙ୍କ କାହାଣୀ ସମ୍ପର୍କିତ ଏକ ବହି ତାକୁ ଉପହାର ଦେଇଛନ୍ତି । ଫଳରେ ହସ୍ପିଟାଲରେ ରାହୁଲର ମନ ହାଲୁକା ହୋଇପାରିବ ।

ଦିନକ ଆଗରୁ ହସ୍ପିଟାଲ ବେଡରେ ରାହୁଲ କିଭଲି ମୋବାଇଲ ଭିଡିଓରୁ ଗୀତ ଶୁଣି ତାଳରେ ହାତ ହଲାଉଥିଲା ତାର ଚିତ୍ର ସାମ୍ନାକୁ ଆସିଥିଲା । ହସ୍ପିଟାଲ ବେଡରେ ଶୋଇଥିଲେ ବି ସେ ଗୀତର ମଜା ନେଉଥିବା ଦେଖାଯାଉଛି । ପାଖରେ ଜଣେ ମୋବାଇଲରୁ ଗୀତ ବଜାଉଥିବାବେଳେ ବେଶ ଖୁସି ଦେଖାଯାଉଛି ରାହୁଲ । ଆଉ ଗୀତର ତାଳେ ତାଳେ ମୁଣ୍ଡ ହଲାଉଛି । ହାତରେ ସାଲାଇନର ଛୁଞ୍ଚିି ରହିଥିଲେ ବି ସାହାସୀ ରାହୁଲ ଗୀତର ମଜା ନେଉଛି । ଏହି ଦୃଶ୍ୟ ବୟାନ କରୁଛି ରାହୁଲ ଧିରେ ଧିରେ ସୁସ୍ଥ ହେଉଛି । ତାକୁ ଶୀଘ୍ର ସୁସ୍ଥ କରିବା ପାଇଁ ଓ ତା ମନକୁ ହାଲୁକା କରିବା ପାଇଁ ଡାକ୍ତର ନର୍ସ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବୋରୱେଲ ଭିତରେ ୬୦ଫୁଟ୍ ମାଟିତେଳ ପାଞ୍ଚ ଦିନ ରହିବା ପରେ ହସ୍ପିଟାଲରେ ରାହୁଲର ଚିକିତ୍ସା ଚାଲିଛି ।