ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

76

କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାବର୍ଷ ଫେବ୍ରୁଆରି ମାସରେ ତିନିଦିନ ଧରି ଏହି ସମ୍ମିଳନୀ ଆୟୋଜନ ହେବା ନେଇ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଥମଥର ଏଭଳି ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ମିଳନୀକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯିବ । ଏହାସହ ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ସେହିପରି ଯୁବପିଢ଼ି କିପରି ଓଡ଼ିଆ ଭାଷାକୁ ଆଦୃତ କରିବେ, ତା’ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି ସମ୍ମିଳନୀରେ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ । ଏହି ସମ୍ମିଳନୀ ଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ ।