ଓଡିଶାରେ ଲଢ଼େଇ, ଦିଲ୍ଲୀରେ ରଣନୀତି: କଂଗ୍ରେସ ନେତାଙ୍କୁ ଖଡଗେ, ରାହୁଲଙ୍କ ଡାକରା । ମୋଦି, ଶାହାଙ୍କୁ ଭେଟିବେ ବିଜେପି ବିଧାୟକ

120

କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ, ଦିଲ୍ଲୀ ଗସ୍ତରେ ଉଭୟ କଂଗ୍ରେସ ଓ ବିଜେପି ନେତା । କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା । ବୁଧବାର ଦିନ ୩ଟାରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ସହ ଓଡ଼ିଶା ନେତାଙ୍କ ବୈଠକ ବସିବ । ବୈଠକରେ ଓଡିଶା ରାଜନୀତିର ସ୍ଥିତି ନେଇ ନେତାମାନେ କେନ୍ଦ୍ର ନେତୃତ୍ୱକୁ ଅବଗତ କରିବେ । ଏଥିସହ ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ଏହି ଅବସରରେ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବେ କଂଗ୍ରେସ ନେତା ।

ସେପଟେ ବିଜେପିର ବିଧାୟକମାନେ ମଂଗଳବାର ରାତିରେ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ରାଜ୍ୟ ବିଜେପିର ଦଳୀୟ ସଂଗଠନ, ଆଗାମି ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ ହେବ । ତେବେ ବିରୋଧୀଙ୍କ ଦିଲ୍ଲୀ ଗସ୍ତକୁ ନେଇ କଟାକ୍ଷ କରିଛି ବିଜେଡି ।

ବିଜେଡିକୁ ପରାସ୍ତ କରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଗତ ୨୩ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଦଖଲ କରିଆସୁଥିବା ବିଜେଡିକୁ କେମିତି ଚେକ୍ ଦେବେ ବିରୋଧୀ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।