ପୁଅର ଜୀବନ ବଞ୍ଚାଇବାକୁ ନିଜ କିଡନୀ ଦାନ କଲା ବାପା। ପ୍ରତିରୋପଣ ପାଇଁ ଦରକାର ୮ରୁ ୧୦ ଲକ୍ଷ ଟଙ୍କା।

136

କନକ ବ୍ୟୁରୋ: କଥାରେ ଅଛି ବାପା ମାଆଙ୍କ ଭଳି ନିସ୍ୱାର୍ଥପର ଭଲପାଇବା କେହିବି ଦେଇପାରିବେନି । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ । ପୁଅର ଜୀବନ ପାଇଁ ବାପା ନିଜ କିଡନୀ ଦାନ କରିଦେଇଛି । ନିଜ ଜୀବନ ପଛେ ଚାଲିଯାଉ କିନ୍ତୁ ତାଙ୍କ ପୁଅର ଆୟୁଦ ଦ୍ୱିଗୁଣିତ ହେଉ ବୋଲି କହିଛନ୍ତି ବାପା । କଣାସ ବଡଓରା ଗାଁର ନିରଞ୍ଜନ ସାହୁଙ୍କ ୨୯ ବର୍ଷର ପୁଅ ପ୍ରସନ୍ନ ସାହୁଙ୍କର ବର୍ଷଟେ ତଳେ ପେଟ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ।

କିଡନୀ ପ୍ରତିରୋପଣ ନକଲେ ବଞ୍ଚିବା ଅସମ୍ଭବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ନୂଆ କିଡନୀ ଲଗାଇବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ କିଡନୀ ମିଳିବା ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ବାପା ଏବେ କିଡନୀ ଦେବାକୁ ପ୍ରସ୍ତୁତ ହୋଇଥିଲେ ବି କିଡନୀ ପ୍ରତିରୋପଣ ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ହେଲେ ଗରିବ ପରିବାର ପାଖରେ ଏତେ ଟଙ୍କା ନ ଥିବାରୁ ଆର୍ଥିକ ସହାୟତା ପାଇଁ କାନ୍ଦି କାନ୍ଦି ନିବେଦନ କରିଛନ୍ତି ବାପା ମାଆ । ୭୬୦୯୯୮୩୮୮୯ ଏହି ନମ୍ବରରେ ଫୋନପେ ଅବା ଗୁଗୁଲପେ ମାଧ୍ୟମରେ ସହାୟତା କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।