ଧନତେରସରେ ସୁନା, ଦୀପାବଳିରେ ଜମିଲା ଇଲେକଟ୍ରୋନିକ୍ସ ଓ ଘରକରଣା ସାମଗ୍ରୀର ବ୍ୟବସାୟ । ଦୀପାବଳିରେ ବଢ଼ିଲା ୧୫ ପ୍ରତିଶତ କାରବାର

107

କନକ ବ୍ୟୁରୋ: ଦୀପାବଳିରେ ବଜାର ଭିଡ଼, ଜମୁଛି ବେପାର । ଇଲେକଟ୍ରୋନିକ୍ସ ଓ ଘରକରଣା ଜିନିଷ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ପାର୍ବଣ ରୁତୁରେ ଅଧିକ ଗାଡ଼ି ମଧ୍ୟ ବିକ୍ରି ହେଉଛି । ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ଭଳିକି ଭଳି ଅଫର ଦେଉଛନ୍ତି ।

  • ଦୀପାବଳିରେ ବଜାର ଭିଡ଼
  • ଗାଡ଼ି, ଟିଭି, ଫ୍ରିଜ୍ ଅଧିକ ବିକ୍ରି

ଧନତେରସରେ ଲୋକ ଅଧିକ ସୁନା କିଣିଥିବା ବେଳେ ଦୀପାବଳିରେ ବି ବଜାରରେ ଭିଡ଼ ଜମିଛି । ଦୀପାବଳି ପାଇଁ ସୁନା ଠାରୁ ଆରମ୍ଭ କରି ଅଟୋମୋବାଇଲ ଏବଂ ଇଲେକଟ୍ରୋନିକ୍ସ ବଜାର ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ଅଧିକ ସଂଖ୍ୟାରେ ଟିଭି ସାଙ୍ଗକୁ ରେଫ୍ରିଜେରେଟର, ୱାସିଂମେସିନ ଓ ଏୟାର କଣ୍ଡିସନ ବିକ୍ରି ହୋଇଛି । ବିଶେଷକରି ୪୩ ଇଂଚ, ୫୫ ଇଂଚ, ୬୫ ଇଂଚ ଏବଂ ୭୫ ଇଂଚ ଭଳି ବଡ଼ ସ୍କ୍ରିନ ବିଶିଷ୍ଟ ଟିଭି ଅଧିକ ବିକ୍ରି ହେଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ୧୦ ପ୍ରତିଶତରୁ ଅଧିକ ଇଲେକଟ୍ରୋନ୍ସିକ ସାମଗ୍ରୀ ବିକ୍ରି ପାଇଁ ବ୍ୟବସାୟୀ ଆଶା ରଖିଛନ୍ତି ।

  • ପାର୍ବଣରେ ୧୫% ବଢ଼ିଲା ବିକ୍ରି
  • ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

ଚଳିତ ପାର୍ବଣ ରୁତୁରେ ବେଶ୍ ଭଲ ବେପାର ଜମୁଛି । ଏପରିକି ଗତବର୍ଷ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ବେପାର ହୋଇଥିବା ବ୍ୟବସାୟୀଙ୍କ ମତ । ଇଲେକଟ୍ରୋନିକ୍ସ ସାମଗ୍ରୀ ସହ ଗାଡ଼ିର ବିକ୍ରି ମଧ୍ୟ ବଢ଼ିଛି । ସ୍ୱାଭାବିକ ମାସ ତୁଳନାରେ ଦୀପାବଳି ଓ ଧନତେରସ୍ ମାସରେ ସୋରୁମ ଗୁଡ଼ିକ ୧୫ ପ୍ରତିଶତ ଅଧିକ ଗାଡ଼ି ବିକ୍ରି କରିଛନ୍ତି । ଇଲେକଟ୍ରୋନିକ୍ସ ସାମଗ୍ରୀ ପ୍ରତି ଗ୍ରାହକଙ୍କ ବିଶେଷ ଚାହିଦା ରହିଛି । ତେବେ ସବୁଠୁ ଅଧିକ ବିକ୍ରି ହେଉଛି ଟିଭି । ସମୁଦାୟ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରିରେ ଟିିଭିର ଭାଗ ୫୦ ପ୍ରତିଶତରୁ ଅଧିକ ରହିଛି । ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ଭଳିକି ଭଳି ଅଫର ଦେଉଛନ୍ତି ।

ତେବେ ଗ୍ରାହକଙ୍କ ଭିଡ଼ ଓ ଅଧିକ ବିକ୍ରି ଭିତରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୮୦ ପ୍ରତିଶତ ଗ୍ରାହକ ଫାଇନାନ୍ସରେ ସାମଗ୍ରୀ କିଣୁଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି ।