ଦାଦନ ଖଟିବାକୁ ଯାଇଥିଲେ, ହେଲେ ଗାଁକୁ ଫେରିଲା ମୃତଦେହ । ତାମିଲନାଡୁରେ ଚାଲିଗଲା ଓଡିଆ ଯୁବକଙ୍କ ଜୀବନ । ବେସାହାରା ହେଇଗଲା ପୂରା ପରିବାର ।

229

କନକ ବ୍ୟୁରୋ: ରୋଜଗାର କଲେ ବାହାହେବ । ଏଭଳି କଥା ମାଆ କହିବା ପରେ ଗାଁରେ କାମ ନପାଇ ରୋଜଗାରିଆ ପୁଅ ଦାଦନ ଖଟିବାକୁ ଯାଇଥିଲା ତାମିଲନାଡ଼ୁ । ହେଲେ ଟଙ୍କା ଧରି ଘରକୁ ଫେରିବା ବଦଳରେ ମୃତଦେହ ଫେରିଲା । ଭଞ୍ଜନଗରରୁ ଆସିଛି ଏଭଳି ଦୁଃଖଦ ଖବର ।

  • ଗଞ୍ଜାମରେ ସରୁନି ଦାଦନ ଦୁଃଖ
  • ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ପେଟପାଟଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ । ଆଉ କିଛି ମାସ ପରେ ବାହାଘର ହୋଇଥାନ୍ତା । କିନ୍ତୁ ଗାଁକୁ ଶବ ହୋଇ ଫେରିଲେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଜିଲୁଣ୍ଡି ପଞ୍ଚାୟତର ବୁଦୁଲି ଗାଁରେ । ଏହି ଗାଁର ସିଦ୍ଧାନ୍ତ ନାୟକ ମୁଲ ଲାଗିବାକୁ ତାମିଲନାଡୁ ଯାଇଥିଲେ । ହେଲେ ସେଠାରେ କାମ କରୁଥିବାବେଳେ ବିଦ୍ୟୁତ ତାର ଲାଗି ସିଦ୍ଧାନ୍ତଙ୍କର ମୃତ୍ୟୁ ହୋଇଥିଲା । ଠିକାଦର ସେଠାରୁ ଆମ୍ବୁଲାନ୍ସ କରି ଗାଁକୁ ଶବ ପଠାଇଥିଲେ । ହେଲେ ଗୁଗୁଲ ମ୍ୟାପରେ ଗାଁଟି ଜଙ୍ଗଲ ମଧ୍ୟରେ ଦେଖାଉଥିବାରୁ ମୃତଦେହକୁ ବ୍ରହ୍ମପୁର ପରେ ଛାଡ଼ି ଚାଲିଯାଇଥିଲା ଆମ୍ବୁଲାନ୍ସ ଡ଼୍ରାଇଭର । ସେଠାରୁ ସାଙ୍ଗମାନେ ଗାଡ଼ି ଭଡ଼ା କରି ମୃତଦେହକୁ ଗାଁକୁ ଆଣିଥିଲେ ।

  • ବେସାହାରା ହୋଇଗଲା ପରିବାର
  • ସରକାରୀ ଭତ୍ତା ବି ପାଲଟିଛି ସାତ ସପନ

ସିଦ୍ଧାନ୍ତଙ୍କ ମୃତଦେହ ପହଁଚିବା ପରେ ମୁଦୁଲି ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ସିଦ୍ଧାନ୍ତଙ୍କ ପାଇଁ ଝିଅ ଖୋଜା ସରିଥିଲା । ଏହି ମାସରେ ବାହା ହୋଇଥାନ୍ତେ ସିଦ୍ଧାନ୍ତ । ହେଲେ ବାହାଘର ପାଇଁ ଅର୍ଥ ନଥିବାରୁ ସେ ରୋଜଗାର ପାଇଁ ସାଙ୍ଗମାନଙ୍କ ସହ ତାମିଲନାଡ଼ୁ ଯାଇଥିଲେ । ହେଲେ କିଏ ଜାଣିଥିଲା ବାହାହେବା ପାଇଁ ଫେରିବା ବଦଳରେ ଫେରିବ ସିଦ୍ଧାନ୍ତଙ୍କ ଶବ । ଘରେ ରୋଜଗାରିଆ ପୁଅ ବୋଲି ଗୋଟିଏ । ୫ ବର୍ଷ ତଳୁ ବାପା ମରିଥିଲେ ଏବେ ପୁଅ ମରିଗଲା ପରିବାର କିପରି ଚଳିବ ସେ ନେଇ ସିଦ୍ଧାନ୍ତଙ୍କ ମାଆଙ୍କ ମୁଣ୍ଡରେ ଚଡକ ପଡିଛି ।

ଏକ ବଖରା ଘର ଖଣ୍ଡିକ ଛାଡ଼ିଦେଲେ ଆଉ କିଛି ନାହିଁ ସିଦ୍ଧାନ୍ତଙ୍କ ପରିବାରରେ । ୮୦ ବର୍ଷିଆ ଜେଜେବାପାଙ୍କୁ ମଧ୍ୟ ସରକାରୀ ଭତା ମିଳୁନି । ଆଉ ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପୁରା ପରିବାର ।